କଳିଙ୍ଗା ଘାଟିରେ ଚାଲିଲା ଦୁଇ, ଚାରି ଚକିଆ ଯାନ, ଦୀର୍ଘଦିନ ବନ୍ଦ ରହିବା ଯୋଗୁ ପରିବା ଦର ଆକାଶ ଛୁଆଁ

ଜି.ଉଦୟଗିରି, ୩୧।୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ ଭୂସ୍ଖଳନ ଯୋଗୁ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ସରିଛି। ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ପଥର ବ୍ଳାଷ୍ଟିଙ୍ଗ କାମ ସରିବା ପରେ ଅସ୍ଥାୟୀ ରାସ୍ତାରେ ପଡ଼ିଥିବା ମାଟି ବାଲି ପଥର କଢ଼ା ଯାଇଛି। ଆଜି କିଛି ଦୁଇ , ଚାରି ଚକିଆ ଯାନ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି। ଦୁଇ ଚାରି ଚକିଆ ଯାନ କଳିଙ୍ଗା ଘାଟି ଦେଇ ଚଳାଚଳ କରିବା ନିମନ୍ତେ ଜାତୀୟ ରାଜପଥ ବିଭାଗ ତରଫରୁ କନ୍ଧମାଳ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରଯାଇଥିବା କହିଛନ୍ତି ଏନଏଚ ଅଧିକାରୀ ପ୍ରଶାନ୍ତ କୁମାର ସାହୁ । ହାଲୁକା ଯାନ ଚଳାଚଳ ପାଇଁ ବିଧିବଦ୍ଧ ଭାବେ ଜିଲାପାଳ ଘୋଷଣା କରିବା ଅପେକ୍ଷା ରହିଛି। କାର୍ତ୍ତିକ ମାସ ଚାଲିଥିବା ବେଳେ ଘାଟି ରାସ୍ତା ଦୀର୍ଘଦିନ ଧରି ବନ୍ଦ ରହିଥିବା ଯୋଗୁ କନ୍ଧମାଳ ଜିଲାରେ ପରିବା ଦର ଆକାଶ ଛୁଆଁ ହୋଇଛି। ଜନସାଧାରଣଙ୍କ ବିଭିନ୍ନ ଆବଶ୍ୟକତାକୁ ଦେଖି ଜିଲାପାଳ ବିଧିବଦ୍ଧ ଭାବେ ଘାଟି ଦେଇ ଯାନବାହାନ ଚଳାଚଳ ନିମନ୍ତେ ଘୋଷଣା କଲେ ଜିଲାବାସୀ ଉପକୃତ ହେବେ ବୋଲି କହିଛନ୍ତି ଜି.ଉଦୟଗିରି କଂଗ୍ରେସ ଦଳର ଏଆଇସିସି ସଦସ୍ୟ ତଥା କାଉନସିଲର ଜାକେଶ ପ୍ରଧାନ ଓ ଅଞ୍ଜୁମ ଅହମଦ।