ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର, ସେ କଥା ଆମେ ନିଜକୁ ପଚାରିଲେ ବେଶ୍ ଜାଣିପାରିବା। ବିଶ୍ୱଶାନ୍ତି ନାମରେ ଆମେ କରୁଥିବା ଯଜ୍ଞରେ ସତରେ ବିଶ୍ୱଗତ ପ୍ରାଣ ହୋଇ ତାହା ଆମେ ମନୁପୁତ୍ର/ପୁତ୍ରୀମାନେ କରିବାର ମୁହାଁସ ଆମ ଅନ୍ତରରେ ଶ୍ୱେତପଦ୍ମ ପରି ଫୁଟି ଉଠିଥାଏ ତ? ଏବେ ଯେଉଁ ଯଜ୍ଞକର୍ମ ବିଭିନ୍ନ ସ୍ଥାନରେ ବିଭିନ୍ନ ସଂସ୍ଥା କରୁଛନ୍ତି, ସେ ସବୁରେ ହୃଦୟ ବେଶି କ୍ରିୟାଶୀଳ ନା ମସ୍ତିଷ୍କ? ଆବେଗ ନା ବୁଦ୍ଧି ସେ ସବୁର ହୃତ୍ପିଣ୍ଡ? ତାହା ଉପଚାର ସର୍ବସ୍ବ ନା ଆସ୍ପୃହା ସମନ୍ବିତ? ଆସ୍ପୃହା ଏକ ଶୁଦ୍ଧ, ପବିତ୍ର ପ୍ରାଣର ପ୍ରାର୍ଥନାମୟତା, ଯେଉଁଥିରେ ସଂପୂର୍ଣ୍ଣ ଅହଂଶୂନ୍ୟତାର ଆଲୋକ ବିକିରିତ ହେଉଥାଏ। ପକ୍ଷାନ୍ତରେ ଉପଚାରର ଆୟୋଜନ ଭିତରେ ସତେ ଯେପରି ଆମ କର୍ତ୍ତାପଣିଆ (ଅନେକ କ୍ଷେତ୍ରରେ) ଭାରି ମାତବର ହୋଇଥାଏ! ନିଜକୁ ଷୋଳଅଣା ନିଜ ପାଇଁ ବୋଲିର ଦୁର୍ଭାବନା ଅବା ବିକୃତ ମାନସଟିଏ ସେଇ କ୍ରିୟାରେ ସଂଗୁପ୍ତ ଭାବରେ ଭାରି ସିହାଣା ହୋଇ ନିଜକୁ ସକ୍ରିୟ ରଖିଥାଏ। ତେଣୁ ଆମେ କରିଚାଲୁଥିବା ଯଜ୍ଞ ମଣ୍ଡପରେ ସର୍ବବିଧ ସାଜସଜ୍ଜା ସତ୍ତ୍ୱେ ସତେଯେପରି ତାର ଭିତରଟା ଫମ୍ପା ହୋଇଯାଇଥାଏ। ସେଥିରେ ଦେହଥାଏ, ଆମତ୍ାନଥାଏ ଏବଂ ସେହି ପ୍ରକାର ଅବିମୃଶ୍ୟକାରିତା ଯୋଗୁଁ ଯଜ୍ଞ ନାମକ ସାର୍ବଜନୀନ ସାତ୍ତ୍ୱିକ ସଂଚାଳନଟିଏ ତା’ର ଅସଲ ଚରିତ୍ରଠାରୁ ଯୋଜନ ଯୋଜନ ଦୂରକୁ ଘୁଞ୍ଚାଇଥାଏ ଅବା ତାହାକୁ ନିର୍ବାସିତ କରାଯାଇଥାଏ। ତେଣୁ ବିଶ୍ୱଶାନ୍ତି (ମହା?) ଯଜ୍ଞ, ଯଜ୍ଞର ମହାନତା ହରାଇ ତୁଚ୍ଛାଗୁଡ଼ାଏ କର୍ମକାଣ୍ଡର ମୋଗଲ ତାମସା ପାଲଟିଯାଏ।
ପକ୍ଷାନ୍ତରେ ସଂସାରରେ ପ୍ରତି ନିୟତ ଯେଉଁ ଯଜ୍ଞ ଅକୁଣ୍ଠିତ, ଅନବରତ ଏବଂ ଅନହଂକାର ଭାବେ କରାଯାଉଛି ଅବା ସଂସାର ତା’ର ବିବିଧ ସାତ୍ତ୍ୱିକ ସମ୍ଭାର (କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର- ମଧୁରାଓ) ଯୋଗୁଁ ଯେଉଁ ଯଜ୍ଞ କରି ଚାଲିଛି କେଉଁ ଅନନ୍ତ କାଳରୁ, ତାହା ଆମେ କରୁଥିବା ଯଜ୍ଞର ପୂରା ବିପରୀତ ଏବଂ ସେଇ ମହାନ୍ ଅଧିଷ୍ଠାନକୁ ଉଚ୍ଛ୍ବସିତ ଭାବେ ନିଜ ସହ ସମୀକୃତ କରି ବିଶ୍ୱ କବି ରବୀନ୍ଦ୍ରନାଥ ଠାକୁର ଗାଇ ଉଠିଛନ୍ତି ”ଜଗତ ଆନନ୍ଦେ ଯଜ୍ଞ ଆମାର ନିମନ୍ତ୍ରନ/ ଧନ୍ୟହଲ ଧନ୍ୟ ହଲ ଆମାର ଜୀବନ“। ଏ ଯଜ୍ଞ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହେଉ ନାହିଁ, ପୁଣି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ମଧ୍ୟ ହେଉନାହିଁ, ପୁଣି କେବଳ ନିର୍ଦ୍ଦିଷ୍ଟ ସମୟରେ ମଧ୍ୟ ହେଉନାହିଁ। କିନ୍ତୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ହେଉଛି। ଏହାର ମନ୍ତ୍ର ଉଚ୍ଚାରଣ କରିବାକୁ ଡାକବାଜି ଯନ୍ତ୍ର ଆବଶ୍ୟକ ପଡ଼ୁନାହିଁ କି ଏହା ସମ୍ପାଦନ କରିବାକୁ କାମନାସର୍ବସ୍ବ ପୁରୋହିତ ଦରକାର ହେଉନାହାନ୍ତି (ଯଦିଓ ଏହା ପୁରୋହିତଶୂନ୍ୟ ନୁହଁ)। ଆମର ଦୁର୍ଭାଗ୍ୟ (ତେଣୁ ତଜ୍ଜନିତ ଦୁଃସ୍ଥିତି) ଯେ ଆମେ ଏହି ମଙ୍ଗଳ ମହୋତ୍ସବର ଧାର ଧାରୁନାହୁଁ ଯଦିଓ ତାହା ଯୋଗୁ ଆମ ଦୈନନ୍ଦିନ ବଞ୍ଚତ୍ବା ସମ୍ଭବ ହେଉଛି। ହୃଦୟ ଖୋଲି ବିଚାର କଲେ ଆମ ପାଇଁ ଏହା ବେଶ୍ ଫର୍ଚ୍ଚା ହୋଇଯିବ ଏହି ମନ୍ତବ୍ୟ ସତ ନା ମିଛ। ସତରେ ଏହି ଜଗତ ଯଜ୍ଞ ଆମ ଜୀବନର ଧାରକ, ପୋଷକ ଓ ବଳବର୍ଦ୍ଧକ କି ନୁହଁ, ତାହା ଆଉ ଅଛପା, ଅଜଣା ରହିବ ନାହିଁ। ସମ୍ଭବତଃ ଏଇ ଯଜ୍ଞ ସର୍ଜନା କରିଛନ୍ତି ଏବଂ ଏହା ସୃଷ୍ଟିର ସକଳ ମଂଗଳ ସାଧନ ହେବ ବୋଲି କେତେ ମହତ୍ ଅଭୀପ୍ସା ପୋଷଣ କରିଛନ୍ତି ସଦା ସହର୍ଷ ଯଜ୍ଞ କରୁଥିବା ସେହି ଯଜ୍ଞପୁରୁଷ (ସହଯଜ୍ଞା ପ୍ରଜାସୃଷ୍ଟ୍ବା ପୁରୋବାଚ ପ୍ରଜାପତିଃ/ ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତିଷ୍ଟ୍ବକାମଧୁକ୍ -ଗୀତା- ତୃତୀୟ ଅଧ୍ୟାୟ – କର୍ମଯୋଗ/ ୧୦)। ଅର୍ଥାତ୍ ସୃଷ୍ଟିକର୍ତ୍ତା ବ୍ରହ୍ମା ଲୋକ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏଇ ଯଜ୍ଞ ସୃଷ୍ଟି କରିଛନ୍ତି। ଲୋକେ ଏହି ଯଜ୍ଞକର୍ମରେ ଲାଗିରହି କ୍ରମେ ଉନ୍ନତି କରିବେ।
ନିର୍ଦ୍ଦିଷ୍ଟ ଚିତ୍ତରେ ଥରେ ଭାବିଦେଲେ ବିଶ୍ୱଯଜ୍ଞର ଗୁମର ବ୍ୟକ୍ତି ନିକଟରେ ପ୍ରାଞ୍ଜଳ ହୋଇଯାଏ। ଏହାର କାର୍ଯ୍ୟଧାରା ଅବିରତ ଚାଲେ, କାରଣ କ୍ଷଣେମାତ୍ର ଏହାର ପରାର୍ଥ ଓ ପରମାର୍ଥ ପରିପୋଷଣ ବନ୍ଦ ହୋଇଗଲେ ସମଗ୍ର ସୃଷ୍ଟି ଜୀବନଧାରଣ କରିପାରିବ ନାହିଁ। ଏହି ଗୁହ୍ୟତମ ଯୋଗ ସମ୍ପର୍କରେ ‘ବିଶ୍ୱଯାଜ୍ଞିକ’ ଏତେ ସଶ୍ରଦ୍ଧ, ସଚେତ ଓ ସଂଗ୍ରାମୀ ଯେ ସେ କଦାଚ ଏଥିରେ ସାମାନ୍ୟତମ ବ୍ୟତିକ୍ରମ ଆଣନ୍ତି ନାହିଁ। କେହି କହିପାରିବେ କି ପୃଥିବୀର କେଉଁ କୋଣର ବାୟୁଦେବତାଙ୍କ ଯଜ୍ଞ ମୁହୂର୍ତ୍ତେ ମାତ୍ର ବନ୍ଦ ହୋଇଯାଇଛି ବୋଲି? ସେହିପରି କେଉଁଠାରେ ଜଳ ଦେବତା ଯଜ୍ଞ କରୁଥିବା ବେଳେ ତାଙ୍କ ଦାନଶୀଳତା (ଇଦଂ ନମମ, ଇଦଂ ନମମ) ତ୍ୟାଗ କରିଛନ୍ତି ବୋଲି? ସେ ପରମାନନ୍ଦରେ ସର୍ବୋତ୍ତମ ସେବା, (ଦାନ ଯୋଗ)ରେ କେତେ ସୁଠାମ, ସୁସଞ୍ଚ ଓ ସୁଷ୍ଠୁ ହୋଇନାହାନ୍ତି! ପ୍ରକୃତି ମାତାଙ୍କ କୋଣେ ଅନୁକୋଣେ ଫୁଲ ଫୁଟି ଓ ଫଳ ଫିଟି ପ୍ରାଣିଜଗତର ପୋଷଣ କରିବାର ଯଜ୍ଞରେ ବ୍ୟାପୃତ। କେଉଁ ଅନାଦି କାଳରୁ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ତିଳେମାତ୍ର ସ୍ବଧର୍ମ ପାଳନ କରିବାରୁ ବିରତ ହୋଇଛନ୍ତି କି? ଏବଂ ଏପରି ମହାନ୍ କର୍ମଯୋଗ ସମ୍ପାଦନ କରୁଛନ୍ତି ବୋଲି ସେହି ବିରାଟ ମହିମ୍ନ କେବେ କର୍ତ୍ତାପଣିଆରେ ଫୁଲି ଉଠିଛନ୍ତି କି? ଦୁନିଆଯାକର ଅନ୍ଧାରର ପରିବର୍ତ୍ତନ କ୍ରିୟା ସମ୍ପାଦନ କରି ସେ ଯେଉଁ ବାର୍ତ୍ତାଟି ଆମ ପାଇଁ ପ୍ରେରଣ କରୁଛନ୍ତି, ତାହା ଆମେ କେବେ ଦେଖିବାକୁ, ବୁଝିବାକୁ ଓ ଗ୍ରହଣ କରିବାକୁ ତଥା ସେଇ ଅନୁରୂପ ହୋଇ ଯିବାକୁ ଶ୍ରଦ୍ଧାବାନ୍ ହୋଇଛନ୍ତି କି? (ଶ୍ରଦ୍ଧାୟାଗ୍ନି ସମିଧ୍ୟତେ ଶ୍ରଦ୍ଧୟା ହୁୟତେ ହବି…)। ଏହିପରି ଆହୁରି ଅନେକ ଦିବ୍ୟ ସତ୍ତା ଜଗତରେ ଯଜ୍ଞ କରି ତାର ଆନନ୍ଦବର୍ଦ୍ଧନ କରିଚାଲିଛନ୍ତି। ତେଣୁ କବି ତାଙ୍କ ତୃତୀୟ ନୟନରେ ଏବଂ ଷଷ୍ଠେନ୍ଦ୍ରିୟ ଦ୍ୱାରା (ଇଣ୍ଟୁସନ) ଏହି ମହାଯଜ୍ଞର ସ୍ତବପାଠ କରିଛନ୍ତି। ଏହା ମଧ୍ୟରେ ରବୀନ୍ଦ୍ରନାଥଙ୍କ ଉଲ୍ଲସିତ ପ୍ରାଣର ଉଚ୍ଛ୍ବସିତ ପ୍ରକାଶ ଯେପରି ଘଟିଛି, ସେପରି ସୂଚୀତ ହୋଇଛି ବିଶ୍ୱଯଜ୍ଞର ମାହାମତ୍ୟ ଯାହାର ତାଦାମତ୍ୟ ହେବାକୁ ସତେଯେପରି କବି ଆମ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି! ସେ ସ୍ବୟଂ ଏହି ଆନନ୍ଦ ଯଜ୍ଞକୁ ଆମନ୍ତ୍ରିତ ବୋଲି ପ୍ରକାଶ କରିବାରେ ଯେଉଁ ମହାଭାବ ଫୁଟି ଉଠିଛି ତାହା ଯୁଗପତ୍ ଆଲୋକ ଓ ଆନନ୍ଦର ଶରଦରାସ।
ଖୁବ୍ଜ୍ଞାନୀ ବୋଲାଇ, ଅତ୍ୟନ୍ତ ଅହଂକାରରେ ‘ମହୀମଣ୍ଡଳେ ନାହିଁ ଏମନ୍ତ ଜନ/ ମୋ ଅଧିକାରେ ଯେହୁ କରିବ ରଣ’ର କିଳିକିଳା ନାଦ କରୁଥିବା ଆମେ ମରଣଶୀଳ ମାତ୍ସରମାନେ ଆମ ଚାରିପଟେ ଚବିଶଘଣ୍ଟା ଅନୁଷ୍ଠିତ ହେଉଥିବା ବିଶ୍ୱଯଜ୍ଞ ପ୍ରତି ଧ୍ୟାନ ଦେଲେନାହିଁ କାହିଁକି? ତେଣୁ ଆମେ ଖୁବ୍ ଆଡ଼ମ୍ବର ଓ ଆମତ୍ମ୍ଭରିତାରେ ଯଥେଷ୍ଟ ଆୱାଜ କରି ଯଜ୍ଞ କରୁଛୁ ବୋଲି ଫାଟି ପଡ଼ୁଥିଲେ ହେଁ ଆମେ ଯେ ଯଜ୍ଞପରି ସାତ୍ତ୍ୱିକ ସାଂଭ୍ରାନ୍ତ୍ୟ ଠାରୁ ଯୋଜନ ଯୋଜନ ଦୂରରେ ଅଛୁ, ଏହା କ’ଣ ମିଥ୍ୟା? ଅସଲ ଯଜ୍ଞ ହିଁ ବିଶ୍ୱଯଜ୍ଞ, ବିଶ୍ୱ ପ୍ରାଣଯଜ୍ଞ, ବିଶ୍ୱଗତ ଯଜ୍ଞ, ବିଶ୍ୱ ପ୍ରୀତିଯଜ୍ଞ। ତାହା ଆମର ହେଉ କର୍ମଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ ଏବଂ ହେଉ ମଧ୍ୟ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ରୂପାନ୍ତର ଯୋଗର ଆଧାର।
ବ୍ରଜମୋହନ ମିଶ୍ର
ଭଦ୍ରକ, ମୋ: ୮୦୧୮୦୮୭୮୩୧