ଜିଲା ପାଇଁ ଗୌରବ ଆଣିଲେ ଦିଗପହଣ୍ଡିର ଦୁଇ ଝିଅ

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ସ୍କୁଲସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପାଣିଗ୍ରାହୀଙ୍କ କନ୍ୟା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ରାଧାରାଣୀ ପାଣିଗ୍ରାହୀ ସର୍ଣ୍ଣ ପଦକ ହାସଲ କରିଥିବା ବେଳେ ଦିଗପହଣ୍ଡି ବଡ଼ ବ୍ରାହ୍ମଣ ସାହିର ପ୍ରଶାନ୍ତ ପୂଜାରୀଙ୍କ କନ୍ୟା ତଥା ସ୍ଥାନୀୟ ପିଏମ୍‌ ଶ୍ରୀ ସରକାରୀ ବାଳିକା ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ପ୍ରତିଜ୍ଞା ପୂଜାରୀ କାଂସ୍ୟ ପଦକ ହାସଲ କରିଛନ୍ତି। ଉଭୟେ ଦିଗପହଣ୍ଡିସ୍ଥିତ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ତତ୍ତ୍ୱାବଧାରକ ନୀଳମାଧବ ପଣ୍ଡା ଏବଂ ପ୍ରଶିକ୍ଷିକା ରାଜେଶ୍ୱରୀ ବେହେରାଙ୍କ ଦ୍ୱାରା ତାଲିମ ନେଉଥିଲେ। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଉଭୟଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ।