୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ ବିଜୟୀ ହୋଇଥିଲେ। ଥରେ କ୍ଷମତାର ଶକ୍ତି ପ୍ରୟୋଗ କରି ସଂସ୍ଥାଗୁଡ଼ିକୁ ନଷ୍ଟ କରିଦେଲେ ତୁମେ ବ୍ୟକ୍ତିଗତ ସମୃଦ୍ଧି, ବ୍ୟକ୍ତିଗତ ଖ୍ୟାତି କିମ୍ବା ବ୍ୟକ୍ତିଗତ ମନୋରଞ୍ଜନ ପାଇଁ ଶାସନ କରିପାରିବ। ମୁଗାବେ ତାଙ୍କ ୩୭ ବର୍ଷ ଶାସନରେ ଏହା କରିଥିଲେ। ତେବେ ଏବେ ନୀତିନିୟମ ଓ ସଂସ୍ଥାଗୁଡ଼ିକର କ୍ଷତି କରିପାରୁଥିବା ଏଭଳି ପ୍ରବୃତ୍ତି ବ୍ୟବସ୍ଥାର ଏକ ଅଂଶ ହୋଇଗଲାଣି।
ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ନେଇଥିବା ଦୁଇଟି ନିଷ୍ପତ୍ତି ମାଧ୍ୟମରେ ମୁଗାବେଙ୍କ ଲଟେରି ପ୍ରତଫଳିତ ହୋଇଛି। ପ୍ରଥମ ନିଷ୍ପତ୍ତି ହେଉଛି ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରି ସେହି ଦେଶର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରିବା। ଜୀବନ ହାନି ଓ ଅରାଜକତା ବିଷୟକୁ ବିଚାରକୁ ନେଇନାହାନ୍ତି। ଏହା ସ୍ପଷ୍ଟ ଯେ, ଏହି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଏକ ଦୀର୍ଘମିଆଦୀ ଅସ୍ଥିରତା ସୃଷ୍ଟି କରିବ। ଏହା ନିଶ୍ଚିତ ଯେ, ଇରାନର ଶାସନ ଦମନକାରୀ ଏବଂ ହତ୍ୟାକାରୀ ଥିଲା, ଯାହା ଇରାନୀୟଙ୍କ ଆର୍ଥିକ ଓ ସାମାଜିକ କଲ୍ୟାଣ ପାଇଁ ଖରାପ। ଖାମେନେଇ ପ୍ରତିଷ୍ଠିତ ବର୍ଗଙ୍କ ନେତା ଥିଲେ ଏବଂ ଇସ୍ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କ୍ରପ୍ସ ସିଧାସଳଖ ଲୋକଙ୍କୁ ହତ୍ୟା କରିଥିଲା। ଏପରିକି ଚଳିତ ବର୍ଷ ପ୍ରାରମ୍ଭରୁ ଅନେକ ହଜାର ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବା ସହ ହତ୍ୟା କରାଯାଇଛି। କିନ୍ତୁ ଏସବୁ ଯୁକ୍ତି ମଧ୍ୟରୁ କୌଣସିଟି ମଧ୍ୟପ୍ରାଚ୍ୟରେ ଏକ ନୂଆ ଯୁଦ୍ଧ ଆରମ୍ଭକୁ ନ୍ୟାୟସଙ୍ଗତ ବୋଲି ସାବ୍ୟସ୍ତ କରେ ନାହିଁ। ଲୋକଙ୍କ ମତକୁ ଗୁରୁତ୍ୱ ଦେଉଥିବା ଏକ ଗଣତନ୍ତ୍ର କଥା ଆମେରିକା କହୁଛି, କିନ୍ତୁ ତାହାକୁ ଟ୍ରମ୍ପ ବ୍ୟାପକ କ୍ଷତି ଘଟାଇବା ଯୋଗୁ ଗଣତାନ୍ତ୍ରିକ ସୁରକ୍ଷା କବଚ ଦିନକୁ ଦିନ ଦୁର୍ବଳ ହୋଇଚାଲିଛି।
ଖାମେନେଇଙ୍କ ଶାସନର ରେକର୍ଡ ଯାହା ଥାଉ ନା କାହିଁକି, ସେ ନିିକୋଲାସ ମାଦୁରୋଙ୍କ ଭଳି ନ ଥିଲେ। ଜାନୁଆରୀରେ ଭେନେଜୁଏଲା ଶାସନରେ ହସ୍ତକ୍ଷେପ କରି ମାଦୁରୋଙ୍କୁ ଆୟତ୍ତ କରିବା ସମୟରେ ଭେନେଜଏଲାର ସେନାରେ ତାଙ୍କର ଖୁବ୍କମ୍ ବିଶ୍ୱସ୍ତ ସମର୍ଥକ ଥିବା ଦେଖାଯାଇଥିଲା। କିନ୍ତୁ ବ୍ୟବସ୍ଥାଗତ ସଂସ୍ଥା ଓ ଦୃଢ଼ ଜାତୀୟତାବାଦୀ ଭାବନା ଥିବା ଦେଶ ଇରାନରେ କଣ୍ଢେଇର ଶାସନ ହେବ ନାହିଁ। ୧୯୭୯ରେ ଯେତେବେଳେ ଇରାନୀୟଙ୍କ ବିଦ୍ରୋହ ଯୋଗୁ ଶାହାଙ୍କ ଶାସନ ପତନ ଘଟିଥିଲା, ସେତେବେଳେ ସରକାରୀ ବ୍ୟବସ୍ଥା ଖୁବ୍ ମଜଭୁତ ଥିଲା ଏବଂ ନୂଆ ଇସ୍ଲାମିକ ରିପବ୍ଲିକକୁ ତାହାର ରାଷ୍ଟ୍ରଭକ୍ତି ଭାବନା ଯାଇଥିଲା। ଦେଶର ଶାସନଗତ ବ୍ୟବସ୍ଥା ଇରାନର ସ୍ବାର୍ଥ ରକ୍ଷା କରିବ ଏବଂ ଅନ୍ୟ ଦେଶଗୁଡ଼ିକୁ ଅସ୍ଥିର କରିବା ପାଇଁ ଦେଶର ଏଜେଣ୍ଟଗୁଡ଼ିକୁ ବ୍ୟବହାର କରିବ। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରଠାରୁ ଦୁର୍ବଳ ହୋଇଯାଇଥିବା ଉଭୟ ହେଜବୁଲ୍ଲା ଓ ହମାସ ଭଳି ଉଗ୍ରବାଦୀ ଗୋଷ୍ଠୀକୁ ନୂଆ ଜୀବନ ଦେବ। ତେବେ ଖାମେନେଇ ତାଙ୍କ ଧର୍ମୀୟ ଭୂମିକାକୁ ନେଇ ସମ୍ମାନ ପାଉଥିଲେ ଏବଂ ଦେଶ ତଥା ବାହାରେ ବ୍ୟାପକ ସଂଖ୍ୟାରେ ଥିବା ଶିୟା ମୁସଲମାନଙ୍କ ମଧ୍ୟରେ ସେ କ୍ଷମତା ଉପଭୋଗ କରୁଥିଲେ। ଅନେକଙ୍କ ମତରେ ତାଙ୍କର ମୃତ୍ୟୁ ତାଙ୍କୁ ଶହୀଦ କରିଦେଇଛି।
ଟ୍ରମ୍ପଙ୍କ ଅନ୍ୟ ବିପଜ୍ଜନକ ତଥା ଅସ୍ଥିରତା ସୃଷ୍ଟିକାରୀ ନିଷ୍ପତ୍ତି ପ୍ରଥମ ନିଷ୍ପତ୍ତିର ଠିକ୍ ପୂର୍ବରୁ ନେଇଥିଲେ। ଯୋଗାଣ ଶୃଙ୍ଖଳ ବିପଦ ଭାବେ ଏଆଇ କମ୍ପାନୀ ଆନ୍ଥ୍ରୋପିକ୍କୁ ନାମିତ କରିଥିଲେ। ଏଭଳି ନାମକରଣ ଚାଇନାର ହୁଓ୍ବାଇ ଭଳି ଶତ୍ରୁ ଦେଶର କମ୍ପାନୀଗୁଡ଼ିକ ପାଇଁ ରହିଛି। ଏଥିରେ ଆମେରିକାର କଣ୍ଟ୍ରାକ୍ଟରମାନେ ଆନ୍ଥ୍ରୋବିକର ମଡେଲ ବ୍ୟବହାର କରିବା ମନା , ଯାହା କମ୍ପାନୀର ଭବିଷ୍ୟତ କାର୍ଯ୍ୟ ଉପରେ ବଡ଼ ପ୍ରତିବନ୍ଧକର ସଙ୍କେତ ଦିଏ। ଏଭଳି କଟକଣା ଲାଗୁ କରି ପ୍ରତିରକ୍ଷା ସଚିବ ପିଟେ ହେଗସେଥ ଘୋଷଣା କରିଥିଲେ ଯେ, ଆମେରିକା ସେନା ସହ ଯେଉଁ କଣ୍ଟ୍ରାକ୍ଟର, ଯୋଗାଣକାରୀ କିମ୍ବା ଅଂଶୀଦାର କାରବାର କରୁଛନ୍ତି ସେମାନେ ଆନ୍ଥ୍ରୋପିକ ସହ କୌଣସି ବାଣିଜି୍ୟକ କାର୍ଯ୍ୟକଳାପରେ ଜଡ଼ିତ ହୋଇପାରିବେ ନାହିଁ। ତେବେ ଏହାର କାରଣ କ’ଣ? ଆନ୍ଥ୍ରୋପିକ ଆମେରିକୀୟଙ୍କ ମାସ୍ ସର୍ଭିଲାନ୍ସ ଓ ଅଟୋନୋମସ ଓ୍ବିପନ ସିଷ୍ଟମ ( ଏଡବ୍ଲ୍ୟୁଏସ)ବା ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ବ୍ୟବହାର ବ୍ୟବସ୍ଥାରେ ବ୍ୟବହାର ହେଉଥିବା ଏହାର ମଡେଲର ସୁରକ୍ଷା ଚାହଁୁଥିଲା। ଦୁଇଟି ମଧ୍ୟରୁ କୌଣସିଟି ପ୍ରତିରକ୍ଷା ବିଭାଗ ଉପରେ ବଡ଼ ବାଧା ଆଣି ନାହିଁ। କିନ୍ତୁ ଟ୍ରମ୍ପ୍ ଓ ହେଗସେଥ୍ଙ୍କ ମତରେ, ଏହା ହେଉଛି ଆନ୍ଥ୍ରୋପିକର ମୁକାବିଲା ମନୋଭବ ଓ ଧମକ। ତେବେ ମୁଗାବେଙ୍କ ଭଳି ସେମାନେ ଯେଉଁଥିରେ ଖୁସି ହୋଇପାରିବେ ସେହିଭଳି ପ୍ରଦର୍ଶନ କରିବା ଉଚିତ। ଜିମ୍ବାଓ୍ବେର ଲଟେରି ତୁଳନାରେ ଆନ୍ଥ୍ରୋପିକ ନିଷ୍ପତ୍ତିର ବଡ଼ ପରିଣାମ ରହିଛି। ଇରାନ ଉପରେ ଆକ୍ରମଣଠାରୁ ଏହା ଏକ ପ୍ରଭାବୀ ଆକ୍ରମଣ। ଏବକାର ଏଆଇ କ୍ଷମତାକୁ ନେଇ ଯିଏ ଯାହା ଭାବନ୍ତୁ ନା କାହିଁକି, ଭିବଷ୍ୟତରେ ଗଣତନ୍ତ୍ର, ବିଜନେସ, ଯୋଗାଯୋଗ ଏବଂ ବ୍ୟକ୍ତିଗତ ଗୋପନୀୟତା ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିବ। ଶିଳ୍ପ କ୍ଷେତ୍ରରେ ଜଡ଼ିତ ଅନେକ ବ୍ୟକ୍ତି ଆନ୍ଥ୍ରୋପିକ ଉପରେ ଲଗାଯାଇଥିବା କଟକଣା ସମ୍ପର୍କରେ ମତ ରଖନ୍ତି ଯେ, ଘରୋଇ କ୍ଷେତ୍ର ନୁହେଁ, ଆମେରିକା ସରକାର ଏଆଇକୁ ନିୟନ୍ତ୍ରଣ କରିବେ।
ଓପନ ଏଆଇ, ଆନ୍ଥ୍ରୋପିକ ଓ ଗୁଗଲ ମଧ୍ୟରେ ଦେଖାଦେଇଥିବା ପ୍ରତିଦ୍ୱନ୍ଦ୍ୱିତା ଭିତରେ ଯିଏ ଆଗରେ ରହିବ ସିଏ ଜିତିବ। ଏହି କ୍ରମରେ ଆନ୍ଥ୍ରୋପିକ ଘୋଷଣାର କିଛି ଘଣ୍ଟା ପରେ ଓପନ ଏଆଇର ମୁଖ୍ୟ ପ୍ରତିରକ୍ଷା ବିଭାଗ ସହ ଚୁକ୍ତି କରିବା ଲାଗି ସାମ୍ନାକୁ ଆସିଗଲେ। ଏହି ଚୁକ୍ତି ସଙ୍କେତ ଦେଉଛି ଯେ, ଏହି ପ୍ରତିଦ୍ୱନ୍ଦ୍ୱିତା ଏକ ନୂତନ ବିପଜ୍ଜନକ ସ୍ତରରେ ପହଞ୍ଚିବାକୁ ଯାଉଛି। ଆନ୍ଥ୍ରୋପିକ ଯାହା ମନା କରିଦେଇଥିଲା ତାହା ହେଗସେଥଙ୍କୁ ସବୁ ଦେବାକୁ ଏପରିକି ଅଟୋନୋମସ ଓ୍ବିପନ ସିଷ୍ଟମ ଉପରେ କାମ କରିବାକୁ ଅଲ୍ଟମ୍ୟାନ ରାଜି ହେଉଛନ୍ତି।
ଆନ୍ଥ୍ରୋପିକ ଉପରେ ନିଆଯାଇଥିବା ପଦକ୍ଷେପର ପରିଣାମ ବ୍ୟାପକ ହୋଇପାରେ। ଯେଉଁ କଣ୍ଟ୍ରାକ୍ଟର ଏହାକୁ ଅବମାନନା କରିବେ ତାଙ୍କ ଉପରେ ଏବକାର ପ୍ରଶାସନ ଏବଂ ସମ୍ଭବତଃ ଭବିଷ୍ୟତର ପ୍ରଶାସନ ଅତ୍ୟଧିକ ଜରିମାନା ଲାଗୁ କରିପାରନ୍ତି। ଘରୋଇ ସମ୍ପତ୍ତି ଅଧିକାରର ସୁରକ୍ଷା ଏବେ ଦୁର୍ବଳ ହୋଇଯିବା ଭଳି ମନେହେଉଛି। ଏହି ସମୟରେ ପେଣ୍ଟାଗନ ବିଶ୍ୱକୁ ସଙ୍କେତ ଦେଇଛି ଯେ, ଏହା ମାସ୍ ସର୍ଭିଲାନ୍ସ ଏବଂ ଏଡବ୍ଲ୍ୟୁଏସର ବିକାଶ ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଇରାନ ଉପରେ ସେନା ଆକ୍ରମଣ ଏବଂ ଆନ୍ଥ୍ରୋପିକ ଉପରେ ଆଇନଗତ ଆକ୍ରମଣ କରି ଟ୍ରମ୍ପ ସମ୍ଭବତଃ ମୁଗାବେ ସ୍ତରର ମୂର୍ଖତା ଦେଖାଇଛନ୍ତି। କୌଣସି ବୈଦେଶିକ ବିଶେଷକରି ମଧ୍ୟପ୍ରାଚ୍ୟରେ ଜଟିଳତାରେ ଜଡ଼ିତ ନ ହେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଟ୍ରମ୍ପ୍ ଦୁଇ ଦଶନ୍ଧି ପୂର୍ବର ଇରାକ ଯୁଦ୍ଧ ବେଳେ ଯେଉଁଭଳି ବିପଦ ଦେଖାଯାଇଥିଲା ତାହାଠାରୁ ଅଧିକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛନ୍ତି। ସମାଜବାଦ ତଥା ବାମପନ୍ଥୀ ଡେମୋକ୍ରାଟଙ୍କ ବିରୋଧରେ ରହିଆସିଥିବା ଟ୍ରମ୍ପ ଘରୋଇ କମ୍ପାନୀଗୁଡ଼ିକୁ ଧ୍ୱଂସ କରିଦେବା ପାଇଁ ପ୍ରଶାସନକୁ ବ୍ୟବହାର କରୁଛନ୍ତି। କିନ୍ତୁ ଉଭୟ ବିଷୟର ମୁଖ୍ୟ ବିନ୍ଦୁ ହେଉଛି ମୂର୍ଖତା, ଯାହା ମୁଗାବେଙ୍କ କ୍ଷେତ୍ରରେ ଦେଖାଯାଇଥିଲା। ତେବେ ନୀତିନିୟମ ଉଲ୍ଲଂଘନ ପ୍ରଚ୍ଛଦରେ ରହିଛି ଟ୍ରମ୍ପଙ୍କ ବ୍ୟକ୍ତିଗତ ଓ ରାଜନୈତିକ ସିଦ୍ଧାନ୍ତ ଏବଂ ତାହା ହେଉଛି-‘ନିୟମ ବୋକାଙ୍କ ପାଇଁ ହୁଏ ’
ଡାରୋନ ଆକେମୋଗ୍ଲୁ
ପ୍ରାଧ୍ୟାପକ (ଅର୍ଥନୀତି), ମାସାଚ୍ୟୁସେଟସ
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି