ବନ୍ଧାପଡ଼ିଥିବା ଜମିକୁ ବିକି ଠକି ନେଲେ କୋଟିଏ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ବ୍ୟାଙ୍କ୍‌ରେ ବନ୍ଧା ପଡିଥିବା ଜମିକୁ ବିକ୍ରି କରି ଦୁଇଭାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଯାଇଛନ୍ତି। ଏପରିକି ବ୍ୟାଙ୍କ୍‌ ନିଲାମ ଡାକିବା ପରେ ଜମି କିଣିଥିବା ବ୍ୟକ୍ତି ଏହା ଜାଣିପାରିଥିଲେ। ଏ ନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ୨ଭାଇଙ୍କୁ କହିବାରୁ ଟଙ୍କା ଫେରାଇ ଦେବାକୁ କହିଥିଲେ। କିନ୍ତୁ ପରେ ଟଙ୍କା ନ ଦେଇ ଫେରାର ହୋଇଯିବାରୁ ଉକ୍ତ ବ୍ୟକ୍ତି ଜଣକ ଶହୀଦନଗର ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଶହୀଦନଗର ମାର୍କେଟ ବିଲି୍ଡଂ ନିକଟରେ ସୁଧୀର ରଞ୍ଜନ ନାୟକ(୫୬) ରୁହନ୍ତି। ରାଜଧାନୀରେ ଏକ ଜମି କିଣିବାକୁ ସେ ମନସ୍ଥ କରିଥିଲେ। ଏହି ସମୟରେ ଲକ୍ଷ୍ମୀସାଗର ଉପରସାହିରେ ରହୁଥିବା ଦୁଇଭାଇ ସେଠାରେ ଥିବା ପ୍ଲଟ ନଂ-୧୦୫୦/୧୦୪୯କୁ ବିକ୍ରି କରିବାକୁ ସୁଧୀରଙ୍କୁ ପ୍ରସ୍ତାବ ଦେଇଥିଲେ। ଜମି ଦେଖିବା ପରେ ମୂଲଚାଲ କରି ଜମିର ମୂଲ୍ୟ ସାଢ଼େ ଦୁଇକୋଟି ଟଙ୍କାରେ ଠିକ୍‌ ହୋଇଥିଲା। ଏପରି କି ୨୦୧୩ ମେ ୬ରେ ଭୁବନେଶ୍ୱର ସବ୍‌-ରେଜିଷ୍ଟ୍ରାର ଅଫିସରରେ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଦୁଇ ଭାଇଙ୍କ କଥାରେ ବିଶ୍ୱାସ କରି ଅଗ୍ରିମ ଆକାରରେ ସୁଧୀର ୧୫ଲକ୍ଷ ଟଙ୍କା ଦେଇଥିଲେ। ପରେ ଜମିର ମାଲିକାନା ସୁଧୀରଙ୍କ ନାମକୁ ହେବା ପରେ ବାକି ୯୦ ଲକ୍ଷ ୬୫ ହଜାର ଟଙ୍କା ୨୦୧୫ ଫେବୃୟାରୀ ୧୫ରେ ଦେଇଥିଲେ। ହେଲେ ଜମି ବିକ୍ରି କରିବା ପୂର୍ବରୁ ଦୁଇ ଭାଇ ଚଞ୍ଚକତା କରି ସ୍ଥାନୀୟ ଏକ ବ୍ୟାଙ୍କ୍‌ରେ ଜମି ବନ୍ଧକ ରଖି ଋଣ ନେଇଛନ୍ତି। ସୁଧ ବଢ଼ି ବଢ଼ି ୧୦ କୋଟିରୁ ଉର୍ଦ୍ଧ୍ୱ ହୋଇଯିବାରୁ ଋଣ ଟଙ୍କା ଶୁଝିବା ପାଇଁ ବ୍ୟାଙ୍କ୍‌ ଦୁଇ ଭାଇଙ୍କୁ ନୋଟିସ କରିଥିଲା। କିନ୍ତୁ ସେମାନେ ବ୍ୟାଙ୍କର କୌଣସି ଜବାବ ଦେଇ ନ ଥିଲେ। ଶେଷରେ ବ୍ୟାଙ୍କ୍‌ ୨୦୧୬ ଏପ୍ରିଲ ୧୪ରେ ଖବରକାଗଜରେ ଉକ୍ତ ପ୍ଲଟକୁ ନିଲାମ ପାଇଁ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖିବା ପରେ ସୁଧୀର ରଞ୍ଜନ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେ ନିଲାମ ଦିନ ଉପସ୍ଥିତ ରହି ନିଲାମ ଟଙ୍କା ଦେଇ ଉକ୍ତ ଜମିକୁ ବ୍ୟାଙ୍କଠାରୁ କିଣିଥିଲେ। ସୁଧୀର ଜମି କିଣିବା ପରେ ଦୁଇଭାଇଙ୍କୁ ଦେଇଥିବା କୋଟିଏ ଟଙ୍କା ଫେରାଇ ଦେବାକୁ କହିଥିଲେ। ଏପରିକି ସେମାନେ ଟଙ୍କା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୨୦୨୦ ହୋଇଥିଲେ ମଧ୍ୟ ଦୁଇଭାଇ ଟଙ୍କା ଫେରାଇ ନ ଥିଲେ। ହଠାତ୍‌ ଗତ କିଛି ଦିନ ତଳେ ଦୁଇ ଭାଇ ଫେରାର ହୋଇଯାଇଥିବା ଜାଣିବା ପରେ ଶେଷରେ ସୁଧୀର ଥାନାର ଦ୍ୱାରସ୍ଥ ହୋଇଥିଲେ।