ଗାଧୋଇବା ବେଳେ ଭାସିଗଲେ ୨ ଭାଇ: ମିଳିଲା ବଡ଼ ଭାଇର ମୃତଦେହ, ସାନ ଏବେ ବି…

ଡୁଙ୍ଗୁରିପାଲି ୧୦।୭ (ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧୀନ ଧର୍ମଦାଣ୍ଡି ନାଳରେ ଏକ ଅଘଟଣ ଘଟିଛି। ମାଝୀମୁଣ୍ଡା ଗାଁର ୨ ଭାଇ ଧର୍ମଦାଣ୍ଡି ନାଳରେ ବୁଧବାର ଗାଧୋଇବାକୁ ଯାଇ ଭାସିଯାଇ ଥିଲେ। ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।

ନାଲ ତଳମୁଣ୍ଡ ପ୍ରାୟ ୩ କିମି ଦୂର ପାନଖାଇ ନାଲର ଏକ ଗଛଖୁଣ୍ଟରେ ଅଟକି ଜଣେ ବ୍ୟକ୍ତି ଭାସୁଥିବା ଗୁରୁବାର ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ଏବଂ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବଡ଼ଭାଇ ଟିକେଶ୍ୱର ବାରିକଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲା। ଅନ୍ୟପକ୍ଷେ ନାଲରେ ପାଣିସ୍ରୋତ ପ୍ରଖର ଥିବା ବେଳେ ରାମପୁର ଅଗ୍ନିଶମ କେନ୍ଦ୍ରର ଏକ ଟିମ୍‌ ଏବଂ ଡୁଙ୍ଗୁରିପାଲି ଅଗ୍ନିଶମ ବାହୀନି ଦୀର୍ଘ ସମୟରେ ଧରି ଖୋଜାଖୋଜି କରିଥିଲେ। ହେଲେ ସାନ ଭାଇ ନିରଞ୍ଜନଙ୍କ ପତ୍ତା ମିଳି ନ ଥିବା ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ପାଉଲସ କୁଜୁର କହିଛନ୍ତି।