ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣକ ଜୀବନ, ୩ ଗୁରୁତର, ଆମ୍ବୁଲାନ୍ସ ନ ମିଳିବାରୁ ତେଜିଲା ଅସନ୍ତୋଷ

ରାଇକିଆ,୨୨।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଆଦର୍ଶ ବିଦ୍ୟାଳୟ ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜିଡୁବାଡି ଗ୍ରାମର ରିକୁନ ପ୍ରଧାନ ବୋଲି ଜଣାପଡିଛି।

ଅନ୍ୟପକ୍ଷେ ଜିଡୁବାଡିର ପପୁନ ଦିଗାଲ, ଦାଡ଼ାକେତାର ବିକାଶ ପ୍ରଧାନ ଏବଂ ଡ଼ାମ୍ବାର ବାପି ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଉଦ୍ଧାର କରି ରାଇକିଆ ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ହେଲେ ହସ୍ପିଟାଲ ସ୍ଥନାନ୍ତର ପାଇଁ ଆମ୍ବୁଲାନ୍ସ ମିଳି ନ ଥିଲା । ଏନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କିଛି ସମୟ ଅସନ୍ତୋଷ ତେଜିବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।