ଜବାବ ଦେଲା ଟୁଇଟର: ୫୦୦ ବିବାଦୀୟ ଆକାଉଣ୍ଟ୍‌ ବନ୍ଦ

ନୂଆଦିଲ୍ଲୀ,୧୦।୨: କେନ୍ଦ୍ର ସରକାର ୧୧୭୮ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏହାର ଉତ୍ତରରେ ଟୁଇଟରର ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ ଲଗାଯିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୫୦୦କୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସେହିପରି କେତେକ ବିବାଦୀୟ ହାସ୍‌ ଟ୍ୟାଗ୍‌କୁ ହଟାଇ ଦିଆଯାଇଛି। ଜାନୁୟାରୀ ୨୬ ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସା ପରେ ନିୟମର ଉଲ୍ଲଂଘନ କରି ସାମାଜିକ ସ୍ଥିତି ବିଗାଡ଼ିବା ଲାଗି କରାଯାଇଥିବା କଣ୍ଟେଟ୍‌କୁ ସୋସିଆଲ ମିଡ଼ିଆରୁ ହଟାଇ ଦିଆଯାଇଥିବା ଟୁଇଟର କହିଛି। ତେବେ କୌଣସି ମିଡ଼ିଆ ସଂସ୍ଥା, ଗଣମାଧ୍ୟମ ପ୍ରତିନିଧି, ସାମାଜିକକର୍ମୀ, ନେତା ଆଦିଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।