ବଲାଙ୍ଗୀର,୩ା୫(ବୀରେନ୍ଦ୍ର କୁମାର ଝାଙ୍କର):ଚଳିତ ମାଟ୍ରିକ୍ ପରୀକ୍ଷାରେ ବଲାଙ୍ଗୀର ସହରର ଦୁଇ ଯାଅଁାଳା ଭଉଣୀ-ଭାଇ କମାଲ କରିଛନ୍ତି। ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଦୁଇ ଭଉଣୀ ଭାଇ ଜ୍ୟୋତିର୍ମୟୀ ପଣ୍ଡା ଓ ବିନାୟକ ପଣ୍ଡା ମାଟ୍ରିକ୍ ପରୀକ୍ଷାରେ ଏ-ୱାନ୍ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଲାଙ୍ଗୀର ସହର ତେଲିଗୋଠପଡା ନିବାସୀ ବ୍ରହ୍ମାନନ୍ଦ ପଣ୍ଡା ଓ ମାଧବୀ ପଣ୍ଡାଙ୍କ ଦୁଇ ଯାଆଁଳା ଝିଅପୁଅ ଜ୍ୟୋର୍ତିମୟୀ ୫୪୮ ମାର୍କ ଓ ବିନାୟକ ୫୪୬ ମାର୍କ ରଖି ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜ୍ୟୋତିିର୍ମୟୀ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ବିନାୟକ ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢ଼ୁଥିଲେ। ଉଭୟେ କଠିନ ପରିଶ୍ରମ କରି ଏହି ସଫଳତା ଲାଭ କରିଛନ୍ତି। ଉଭୟ ଦୈନିକ ପ୍ରାୟ ୧୧ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି। ସରକାରୀ ସ୍କୁଲରେ ପାଠ ପଢ଼ି ସଫଳତା ଲାଭ କରିହୁଏ ଏହାକୁ ଗୁରୁମନ୍ତ୍ର କରି ସେମାନେ ପାଠ ପଢ଼ୁଥିଲେ ବୋଲି କହିଛନ୍ତି। ପିତାମାତା, ଶିକ୍ଷୟିତ୍ରୀ ଶିକ୍ଷକ ଓ ବଡ ଭଉଣୀ ଚିନ୍ମୟୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି। ଦୁଇ କୃତୀ ଛାତ୍ରୀଛାତ୍ରଙ୍କ ପିତା ବ୍ରହ୍ମାନନ୍ଦ ମାଲଗୋଦାମପଡା ୟୁପି ସ୍କୁଲରେ ଶିକ୍ଷକତା କରୁଛନ୍ତି। ଦୁଇ ଭଉଣୀ-ଭାଇଙ୍କ ସଫଳତାରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।