ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।
ଦୀପିକା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ଯେପରିକି ଆପଣମାନେ ସମସ୍ତେ ଜାଣନ୍ତି, ଗତ କିଛି ସପ୍ତାହ ଆମ ପାଇଁ ବହୁତ କଷ୍ଟକର। ପେଟର ଉପର ଭାଗରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲ ଯିବା ଏବଂ ପରେ ଜାଣିବାକୁ ପାଇଲି ଯେ ଏହା ଲିଭରରେ ଏକ ଟେନିସ ବଲ ଆକାରର ଟ୍ୟୁମର ଏବଂ ତାପରେ ଜାଣିବାକୁ ପାଇଲି ଯେ ଟ୍ୟୁମର ଦ୍ୱିତୀୟ ପର୍ଯ୍ୟାୟ ମାଲିଗ୍ନାଣ୍ଟ (କ୍ୟାନସର)।
ପୋଷ୍ଟରେ ଦୀପିକା ଆହୁରି ସାହସ ଦେଖାଇ ଲେଖିଛନ୍ତି- ଏହା ସବୁଠାରୁ କଷ୍ଟକର ସମୟ। କିନ୍ତୁ ମୁଁ ସମ୍ପୂର୍ଣ୍ଣ ପଜିଟିଭ୍ ଅଛି। ଏହି ଅବସ୍ଥାର ସମ୍ମୁଖୀନ ହେବାକୁ ଏବଂ ଏଥିରୁ ଆହୁରି ଶକ୍ତିଶାଳୀ ହେବାକୁ ନିଷ୍ପତ୍ତି ନେଇଛି। ଇନଶାଆଲ୍ଲାହ! ମୋର ପୂରା ପରିବାର ମୋ ସହିତ ଅଛି ଏବଂ ମୁଁ ଆପଣ ସମସ୍ତଙ୍କଠାରୁ ପ୍ରେମ ଏବଂ ଆଶୀର୍ବାଦ ପାଉଛି, ମୁଁ ମଧ୍ୟ ଏହି ପରିସ୍ଥିତିରୁ ବାହାରି ଆସିବି।