ସୁବଳୟା ଅଞ୍ଚଳରେ ବୁଲୁଛନ୍ତି ଦନ୍ତାହାତୀ: ଗୋଡେ ଗୋଡେ ଜଗିଛି ବନ ବିଭାଗ

ଅମରପାଲି, ୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ବନାଞ୍ଚଳର ସୁବଳୟା ଅଞ୍ଚଳରେ ଜଙ୍ଗଲି ଦନ୍ତା ହାତୀ ବୁଲୁଥିବାବେଳେ ବନବିଭାଗ ପଛେପଛେ ଯାଉଛନ୍ତି। ସୂଚନା ଅନୁସାରେ, ଏକ ତିନି ଟିକିଆ ହାତୀ ପଲ ଖାଦ୍ୟ ଅନ୍ବେଷଣ ହେଉ କିମ୍ବା ପ୍ରବଳ କୁହୁଡି ପାଇଁ ଦନ୍ତା ହାତୀ୍‌ଟି ଗୋଠଛଡ଼ା ହୋଇଯାଇଥିଲା। ଫଳରେ ଗତରାତି ପ୍ରାୟ ୧୦ଟାରେ ସୁବଳୟା ନିକଟସ୍ଥ ମହାନଦୀ କୂଳ ଫସଲ କିଆରିରେ ଦେଖିବାକୁ ମିଳିଥିଲା l ଖବର ପାଇ ସୁବଳୟା ସେକ୍ସନ ବନପାଳ ବନ କର୍ମଚାରୀଙ୍କୁ ନେଇ ରାତିତମାମ ହାତୀକୁ ସୁରକ୍ଷିତ ଘୋଉଡାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସୋମବାର ସକାଳୁ ସକାଳୁ ନୂଆପଡ଼ା, କେଲଗାଁ ପଟରୁ ପୁଣି ଫେରି ସୁବଳୟା-ଟେଭାପଦର ଦେଇ ଦୂରଦୂରା ଜଙ୍ଗଲକୁ ଦନ୍ତା ହାତୀକୁ ସୁରକ୍ଷିତ ଘଉଡ଼ାଇ ଦିଆଯାଇଛି l ଟେଭାପଦର ଗାଁଠାରେ କିଛି ଚାଷୀ ଅମଳ କରି ଗଚ୍ଛିତ ରଖିଥିବା ଧାନ ଖରିକୁ ମାଡି ଫିଙ୍ଗି ଦେଇଥିବାବେଳେ ବିଶେଷ କିଛି କ୍ଷତି କରି ନ ଥିବା ବନବିଭାଗ ତରଫରୁ ସୂଚନା ଦିଆଯାଇଛି l ସୁବଳୟା ବନପାଲ ନିରଞ୍ଜନ ପଧାନଙ୍କ ନେତୃତ୍ୱରେ ବନ ବିଭାଗ ହାତୀ ଘଉଡ଼ାଉଛନ୍ତି। ସୋମବାର ରାତିରେ ପୁଣି ଉକ୍ତ ହାତୀଟି ଖଣ୍ଡହତା ପଞ୍ଚାୟତ ଜନକପୁର ଅଞ୍ଚଳରେ ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 

Dharitri – Odisha’s No.1 Odia Daily