ବାଲେଶ୍ୱର,୧୯।୯(ବାଞ୍ଛାନିଧି ଦେ): ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ୍ର ଆର୍ପିଏଫ୍ ସିଆଇବି (କ୍ରାଇମ୍ ଇଣ୍ଟେଲିଜେନ୍ସ ବ୍ରାଞ୍ଚ) ପକ୍ଷରୁ ଗୁରୁବାର ଏକ ଟ୍ରେନ୍ରେ ଚଢାଉ କରାଯାଇଥିଲା। ଭଦ୍ରକ-ଖଡଗପୁର ଡାଉନ ପାସେଞ୍ଜର ଟ୍ରେନ୍ରେ କଇଁଛ ଚୋରା ଚାଲାଣ ହେଉଥିବା ବେଳେ ସିଆଇବିର ୩ଜଣିଆ ଟିମ୍ ବାଲେଶ୍ୱରେ ରେଳ ଷ୍ଟେଶନ ନିକଟ ଖନ୍ତାପଡ଼ା-ନୀଳଗିରି ମଝିରେ ଠାବ କରିଥିଲେ। ୧୭ଟି ଜୀବନ୍ତ କଇଁଛକୁ ଜବତ କରିବା ସହ ସମ୍ପୃକ୍ତ ୨ଜଣ ବେପୋରୀଙ୍କୁ ଆଣି ବାଲେଶ୍ୱର ଆର୍ପିଏଫ୍ ଥାନାରେ ଅଟକ ରଖିଥିଲେ। ଏ ସମ୍ପର୍କରେ ବନବିଭାଗକୁ ଖବର ଦିଆଯାଇଥିଲା। ବନବିଭାଗ ଅଧିକାରୀ ପହଞ୍ଚତ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଦ୍ୱୟ ହେଲେ ସଦର ଥାନା ଅଧୀନ ବସନ୍ତପୁର ଅଞ୍ଚଳର ଯଦୁଆ ସିଂ ଓ ଖନ୍ତାପଡ଼ା ଥାନା ଟିଣା ଅଞ୍ଚଳର ଶ୍ୟାମ ଦଳେଇ।
ବିଭିନ୍ନ ସମୟରେ ଓଡ଼ିଶାରୁ ଟ୍ରେନ୍ ଯୋଗେ ପଶ୍ଚିମବଙ୍ଗକୁ ବିପୁଳ ପରିମାଣରେ କଇଁଛ ଚୋରା ଚାଲାଣ ହୋଇଆସୁଛି। ଖବର ପାଇ ଖଡଗପୁର ଡିଭିଜନର ସିଆଇବି ଡିଆଇ ୱାଇ. କୁମାରଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ଗଜେନ୍ଦ୍ର ବେହେରା ଓ ଏସ୍. କେ. ସିଂ, ହେଡ୍ କନଷ୍ଟେବଲ ଏସ୍. କେ. ସିଂ ଉକ୍ତ ଟ୍ରେନ୍ରେ ଚଢାଉ କରି ଉଭୟ ଅଭିଯୁକ୍ତଙ୍କ ନିକଟରୁ ୧୭ଟି କଇଁଛ ଜବତ କରିବାରେ ସମର୍ଥ ହୋଇଥିଲେ। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।