ଇସଲାମାବାଦ୍,୩।୭: ଅପରେଶନ ସିନ୍ଦୂର ପରେ ତୁର୍କୀ ପାକିସ୍ତାନକୁ ସାମରିକ ସହାୟତା ବୃଦ୍ଧି କରିଛି। ଏହା କେବଳ ରାଜନୈତିକ ସମର୍ଥନ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ନୌସେନା ସହାୟତା ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ। ତୁର୍କୀ ଭାରତ-ପାକିସ୍ତାନ ବିବାଦକୁ କେବଳ ଆଦର୍ଶବାଦ କିମ୍ବା କୂଟନୀତି ଦୃଷ୍ଟିକୋଣରୁ ଦେଖେ ନାହିଁ, ବରଂ ଏହା ପଛରେ ରଣନୈତିକ ଲକ୍ଷ୍ୟ ରହିଛି।
ପାକିସ୍ତାନକୁ KARGI loitering munition, Bayraktar TB2 drones ଏବଂ YIHA UAVs ଭଳି ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଉଛି, ଯାହା ଏହାର ନିରୀକ୍ଷଣ ଏବଂ ସଠିକ ଆକ୍ରମଣ କରିବାର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିଛି। ପାକିସ୍ତାନ ତୁର୍କୀଠାରୁ ପାଇଥିବା ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏହାକୁ କେବଳ ନିରୀକ୍ଷଣ ମିଶନରେ ସାହାଯ୍ୟ କରେ ନାହିଁ, ବରଂ ପ୍ରକୃତ ଯୁଦ୍ଧ ଭୂମିରେ ଦୃଢ଼ ଭାବରେ ଠିଆ ହେବାର ଶକ୍ତି ମଧ୍ୟ ପ୍ରଦାନ କରେ। ତୁର୍କୀ ପାକିସ୍ତାନକୁ KARGI ଡ୍ରୋନ (Loitering munition) ଦେଇଛି, ଏହା ୧୫,୦୦୦ ଫୁଟ ଉଚ୍ଚତାରେ ଉଡ଼ିପାରିବ। ଏଥିରେ ୧୮ କିଲୋଗ୍ରାମ ଯୁଦ୍ଧାସ୍ତ୍ର ରଖିବାର କ୍ଷମତା ଅଛି। ଏଥିପାଇଁ ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ୨୦ ନିୟୁତ ଡଲାରର ଏକ ସମ୍ଭାବ୍ୟ ଚୁକ୍ତି ହୋଇଛି। ଏହା ବ୍ୟତୀତ, ତୁର୍କୀ Bayraktar TB2, YIHA UAV ଏବଂ Aselsan ସୋଙ୍ଗାର ଡ୍ରୋନ ଦେଇଛି। ତୁର୍କୀ ମଧ୍ୟ ଆକାଶରୁ ଆକାଶରେ ନିକ୍ଷେପ ହେଉଥିବା ମିଶାଇଲ୍ ଏବଂ ଛୋଟ ଅସ୍ତ୍ରଶସ୍ତ୍ର ଦେଇଛି।
ତୁର୍କୀ କେବଳ ପାକିସ୍ତାନକୁ ଡ୍ରୋନ ଏବଂ ମିଶାଇଲ ଦେଉନାହିଁ, ବରଂ ଏହାର ନୌସେନା କ୍ଷମତା ମଧ୍ୟ ବୃଦ୍ଧି କରୁଛି। ଉଭୟଙ୍କ ମଧ୍ୟରେ ୧.୫ ବିଲିୟନ ଡଲାରର ଚୁକ୍ତି ସ୍ବାକ୍ଷରିତ ହୋଇଛି, ଯେଉଁଥିରେ ପାକିସ୍ତାନକୁ ଚାରୋଟି MILGEM-କ୍ଲାସ୍ର କର୍ଭେଟ ମିଳିବ। Agosta 90B ବୁଡ଼ାଜାହାଜକୁ ଉନ୍ନତ କରାଯିବା ସହିତ ସାମୁଦ୍ରିକ ନିରୀକ୍ଷଣ ଡ୍ରୋନ ଏବଂ ରାଡାର ସିଷ୍ଟମକୁ ଉନ୍ନତ କରାଯିବାକୁ ଅଛି। ଏହି ସହଯୋଗ ସହିତ, ପାକିସ୍ତାନର ନୌସେନା ଭାରତ ମହାସାଗରରେ ଅଧିକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରିବ।
ଭାରତ ତୁର୍କୀ-ପାକ ମେଣ୍ଟ ପ୍ରତି ସତର୍କ ରହିଛି ଏବଂ ଏହାକୁ ଭବିଷ୍ୟତର ସଂଘର୍ଷରେ ଏକ ଡବଲ-ଫ୍ରଣ୍ଟ ଚ୍ୟାଲେଞ୍ଜ ଭାବରେ ଦେଖେ। ପାକିସ୍ତାନ ପୁନର୍ବାର LOC ରେ ଆତଙ୍କବାଦୀ ଲଞ୍ଚିଂ ଘାଟିକୁ ସକ୍ରିୟ କରିଛି। ଅପରେଶନ ସିନ୍ଦୁର ସମୟରେ ଭାରତୀୟ ସେନାର ପ୍ରତିକ୍ରିୟାରେ ଦୁଇ ତୁର୍କୀ ସାମରିକ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ, ଭାରତ ତୁର୍କୀର ଶତ୍ରୁ ଦେଶ ଗ୍ରୀସ, ସାଇପ୍ରସ, ଆର୍ମେନିଆ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି। କାଉଣ୍ଟର-ଡ୍ରୋନ ସିଷ୍ଟମ ଏବଂ ଇଲେକ୍ଟ୍ରୋନିକ ଯୁଦ୍ଧ ୟୁନିଟ କ୍ରୟକୁ ତ୍ୱରାନ୍ବିତ କରାଯାଉଛି। ଇସ୍ରାଏଲ, ଫ୍ରାନ୍ସ ଏବଂ ଆମେରିକା ସହିତ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ପାଇଁ ଚୁକ୍ତି ହେବାର ସମ୍ଭାବନା ବୃଦ୍ଧି ପାଉଛି।