ତୁର୍କୀରେ ଭୂମିକମ୍ପ: ଦେଶକୁ ଥରାଇଦେଲା ୫.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ଇସ୍ତାନବୁଲ,୧୫।୫: ତୁର୍କୀରେ ଗୁରୁବାର ସନ୍ଧ୍ୟାରେ ୫.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଥରାଇ ଦେଇଛି। ରିକ୍ଟର ସ୍କେଲରେ ୫.୨ ମାପରେ ଏହି ଭୂକମ୍ପ ଇସ୍ତାନବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି। ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ଏଜେନ୍ସି (AFAD) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମର୍ମରା ସାଗର ନିକଟବର୍ତ୍ତୀ ସିଲିଭ୍ରି ଅଞ୍ଚଳରେ ଥିଲା।

ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁଁ କୌଣସି ପ୍ରାଣହାନୀ କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ। ତେବେ, ଏପ୍ରିଲ ୨୦୨୫ରେ ଇସ୍ତାନବୁଲରେ ଆଉ ଏକ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ଆତଙ୍କ ଓ ଭୟ ଯୋଗୁଁ ଲୋକେ ଘରୁ ବାହାରି ପଳାଇଥିଲେ। ସେହି ଘଟଣାରେ ପ୍ରାୟ ୨୩୬ ଜଣ ଆହତ ହୋଇଥିଲେ, ଯେଉଁମାନେ ବେଶିରଭାଗ ବିଲ୍ଡିଂରୁ ଡେଇଁ ପଡ଼ିବା କିମ୍ବା ଆତଙ୍କଜନିତ ଆଘାତ ଯୋଗୁଁ ଆହତ ହୋଇଥିଲେ।

ତୁର୍କୀ ତିନୋଟି ଟେକ୍ଟୋନିକ ପ୍ଲେଟ—ୟୁରେସିଆନ, ଆରବୀୟ ଏବଂ ଆଫ୍ରିକୀୟ—ମଧ୍ୟରେ ଅବସ୍ଥିତ ହେତୁ ଏହା ଏକ ଭୂମିକମ୍ପ-ପ୍ରବଣ ଅଞ୍ଚଳ। ୨୦୨୩ ଫେବୃଆରୀରେ ତୁର୍କୀର ଦକ୍ଷିଣ-ପୂର୍ବାଞ୍ଚଳରେ ୭.୮ ତୀବ୍ରତାର ଏକ ବିନାଶକାରୀ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୫୫,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଲକ୍ଷାଧିକ ଲୋକ ଗୃହହୀନ ହୋଇଥିଲେ।