Categories: Home Leftଖେଳ

ଟ୍ୟୁନିସିଆ ଖେଳିବ ଫୁଟ୍‌ବଲ ବିଶ୍ୱକପ୍‌

ଟୁନିସ୍‌(ଟ୍ୟୁନିସିଆ),୯ା୯: ଟ୍ୟୁନିସିଆ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିଛି। ସୋମବାର ଅନୁଷ୍ଠିତ ଏକ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍‌ରେ ଦଳ ଇକ୍ୱେଟୋରିଆଲ ଗିନିକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି। ଖେଳର ୪ର୍ଥ ମିନିଟ୍‌ରେ ଟ୍ୟୁନିସିଆ ପକ୍ଷରୁ ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ ମହମ୍ମଦ ଅଲି ବେନ୍‌ ରମଧାନେ।

ଯୋଗ୍ୟତା ପର୍ଯ୍ୟାୟରେ ଟ୍ୟୁନିସିଆ ୮ଟି ଗେମ୍‌ରୁ ୨୨ ପଏଣ୍ଟ ଅର୍ଜନକରି ଗ୍ରୁପ୍‌ ‘ଏଚ୍‌’ ଟେବୁଲ ଶୀର୍ଷରେ ଦ୍ୱିତୀୟ ସ୍ଥାନରେ ଥିବା ନାମ୍ବିଆଠାରୁ ୧୦ ପଏଣ୍ଟ ଆଗୁଆ ରହିଛି।

ଟ୍ୟୁନିସିଆ କ୍ରମାଗତ ତୃତୀୟ ଏବଂ ମୋଟ ଉପରେ ୭ମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ୨୦୧୮ ଓ ୨୦୨୨ରେ ଦଳ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଆଫ୍ରିକା ମହାଦେଶରୁ ପୂର୍ବରୁ ଅନ୍ୟତମ ଦଳ ମରକ୍କୋ ଇତିମଧ୍ୟରେ ଯୋଗ୍ୟତା ହାସଲ କରିସାରିଛି।

ଏସିଆରୁ ଜାପାନ, ଇରାନ, ଜୋର୍ଡାନ, ଦକ୍ଷିଣ କୋରିଆ, ଉଜ୍‌ବେକିସ୍ତାନ ଓ ଅଷ୍ଟ୍ରେଲିଆ ଯୋଗ୍ୟତା ହାସଲ କରିସାରିଛନ୍ତି। ସେହିପରି ଓସେନିଆରୁ ନ୍ୟୁଜିଲାଣ୍ଡ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ଦକ୍ଷିଣ ଆମେରିକାରୁ ଆର୍ଜେଣ୍ଟିନା, ବ୍ରାଜିଲ ଓ ଇକ୍ୱେଡର ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ବିଶ୍ୱକପ୍‌ର ଆୟୋଜକ ଦେଶ ଭାବେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଓ ମେକ୍ସିକୋ ଯୋଗ୍ୟତା ହାସଲ କରିଛନ୍ତି।