ଛାତ୍ରୀଙ୍କ ସମ୍ବେଦଳଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଟ୍ୟୁଶନ୍‌ ସାର୍‌: ଆଉ ତା’ପରେ ଘଟିଲା…

ମହାକାଳପଡ଼ା,୨୦ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଘଟଣା ସାମ୍‌ନାକୁ ଆସିଛି। ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକ ଅଶ୍ଳୀଳ ମେସେଜ ପଠାଇବା, ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସୋମବାର ଛାତ୍ରୀ ଅଭିଯୋଗ କରିଥିଲେ। ମଙ୍ଗଳବାର କେନ୍ଦ୍ରାପଡ଼ା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବିଏନ୍‌ଏସ୍‌ଏସ୍‌ ଧାରା ୧୮୩ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଛି। ନ୍ୟାୟ ନ ପାଇଲେ ସେ ଆତ୍ମାହୁତି କରିବେ ବୋଲି ଧମକ ଦେଇଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଯୁବକ ତାପସ ବେରାଙ୍କ ପାଖରେ ଟ୍ୟୁଶନ ହେଉଥିଲେ। ଏହି ସୁଯୋଗରେ ତାପସ ଛାତ୍ରୀଙ୍କ ମୋବାଇଲକୁ ଅଶ୍ଳୀଳ ମେସେଜ ପଠାଇବା ସହ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ। ଏ କଥା କାହାକୁ କହିଲେ ଅଶ୍ଳୀଳ ପୋଷ୍ଟ ଭାଇରାଲ କରିଦେବାକୁ ଧମକ ଦେଉଥିଲେ। ଇତିମଧ୍ୟରେ ଛାତ୍ରୀ ଜଣକ କଲେଜରେ ପଢ଼ୁଛନ୍ତି। ତଥାପି ତାପସ ତାଙ୍କ ପିଛା ଛାଡି ନାହାନ୍ତି। ଗତ ୧୫ ତାରିଖ ଦିନ ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ତାଙ୍କୁ ତାପସ ଅଟକାଇ ପୁଣି ଧମକ ଦେଇଥିଲେ। ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବା ସହ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୋଲିସ ନଂ.୧୦୩/୨୫ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।