କେନ୍ଦ୍ରାପଡ଼ା,୨୭ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଗତ ୧୮ ତାରିଖରେ ଛାତ୍ରୀଙ୍କୁ ଟିଉଶନ ଶିକ୍ଷକଙ୍କ ଅଶ୍ଳୀଳ ମେସେଜ୍ ପୋଷ୍ଟ ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ଏହାକୁ ୮ ଦିନ ବିତିଗଲାଣି। ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରିକି ଅଭିଯୁକ୍ତଙ୍କୁ ଥାନାକୁ ଡକାଯାଇ ପଚରାଉଚରା ମଧ୍ୟ କରାଯାଉନାହିଁ। ଦିନକୁଦିନ ମନ ଭାରାକ୍ରାନ୍ତ ହେଉଛି। ଆଗକୁ ଆତ୍ମଦାହ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାପୂର୍ବରୁ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିବା ପୀଡ଼ିତା ଛାତ୍ରୀ ଗଣମାଧ୍ୟମକୁ ମଙ୍ଗଳବାର ବୟାନ ଦେଇଛନ୍ତି। ପୀଡ଼ିତାଙ୍କ ସହ ମା’, ଗ୍ରାମର କେତେଜଣ ବ୍ୟକ୍ତି ଓ ପୂର୍ବତନ ସରପଞ୍ଚ ପୂର୍ବାହ୍ନରେ ଏସ୍ପିଙ୍କୁ ଭେଟିଥିଲେ। ଏ ନେଇ ପୀଡ଼ିତା କହିଛନ୍ତି, ୨୦୧୮ରେ ସେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଶିକ୍ଷକ ତାପସ ବେରାଙ୍କ ନିକଟରେ ଟିଉଶନ ହେଉଥିଲେ। ଶିକ୍ଷକ ବେରା ଅନେକ ସମୟରେ ପୀଡ଼ିତାଙ୍କ ନିକଟକୁ ଅଶ୍ଳୀଳ ମେସେଜ୍ ପଠାଇଥା’ନ୍ତି। ଏପରିକି ଘରେ କେହି ନ ଥିବା ସମୟରେ ପୀଡ଼ିତାଙ୍କ ନିକଟରେ ପହଞ୍ଚତ୍ ଅସଦାଚରଣ କରି ଫଟୋ ଉଠାଇଥିଲେ। ଏହାକୁ ଭାଇରାଲ କରିବା ପାଇଁ ଧମକ ଦେଉଥିଲେ। ଏ ନେଇ ପରିବାର ସଦସ୍ୟ ଜାଣିବା ପରେ ଟିଉଶନ ବନ୍ଦ କରାଗଲା। ଏବେ ସେ ଜିଲା ବାହାରେ ଏକ କଲେଜରେ ପଢ଼ୁଛନ୍ତି। କିନ୍ତୁ ଗତ ୧୫ ତାରିଖରେ ସମ୍ପୃକ୍ତ ଶିକ୍ଷକ ତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୧୦୩/୨୫ରେ ମାମଲା ରୁଜୁ କରି ଚୁପ୍ ହୋଇ ବସିଛନ୍ତି। କାର୍ଯ୍ୟାନୁଷ୍ଠାନ ନ ହେଲେ ପରିସ୍ଥିତି ଭଲ ହେବ ନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଏସ୍ପି ଦେବାଶିଷ ଧଳଙ୍କୁ ପଚାରିବାରେ ଏହି ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ ପାଇଁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।