ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ)-ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ଆଶାକର୍ମୀ ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରୁନାହାନ୍ତି। କେବଳ ସେତିକି ନୁହେଁ ୨ ବର୍ଷ ଧରି ସେ ବାହାର ରାଜ୍ୟକୁ କୌଣସି କାର୍ଯ୍ୟରେ ଯାଇଥିବା ଯୋଗୁ ଗର୍ଭବତୀ ମହିଳାମାନେ ବହୁତ ହଇରାଣ ଭୋଗୁଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା କୁମ୍ଭାରୀଗାଁ ପଞ୍ଚାୟତ ଟୁଡୁବିଜୁ ଗ୍ରାମ ଅଙ୍ଗନୱାଡି -୨ କେନ୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାକୁ ବିରୋଧ କରି ଉକ୍ତ ଅଞ୍ଚଳର ଗ୍ରାମବାସୀ ଗୁରୁବାର ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଘେରାଉ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ହେଁ ସେ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭେଟି ତୁରନ୍ତ ଆଶାକର୍ମୀଙ୍କୁ ବହିଷ୍କାର କରି ନୂତନ ଆଶାକର୍ମୀଙ୍କୁ ନିଯୁକ୍ତି ଦେବାପାଇଁ ପୂର୍ବତନ ସରପଞ୍ଚ ସୁନାର ସିଂ ମାଝୀଙ୍କ ସମେତ ବହୁ ଲୋକ ଦାବି କରିଛନ୍ତି।
ଗ୍ରାମବାସୀମାନେ କହିଛନ୍ତି ଯେ, ଆଶାକର୍ମୀ ଗ୍ରାମରେ ନ ଥିବା ଓ ବାରମ୍ବାର ଗର୍ଭବତୀ ଓ ଅନ୍ୟାନ୍ୟ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳିବା କଷ୍ଟକର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ସ୍ବାସ୍ଥ୍ୟଧିକାରୀ ଏକ ନୂତନ ଆଶାକର୍ମୀଙ୍କୁ ନିଯୁକ୍ତି ଦେବାକୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ତାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଅପରପକ୍ଷେ ରାଜ୍ୟ ବାହାରେ ଥିବା ଆଶାକର୍ମୀ ଗ୍ରାମକୁ ଫେରିଥିଲେ ମଧ୍ୟ ସେବା ଯୋଗାଉ ନ ଥିବା ନେଇ ଗ୍ରାମବାସୀ ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇଛନ୍ତି। ଗ୍ରାମବାସୀ, ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲା ସ୍ବାସ୍ଥ୍ୟାଧିକାରୀ ଏବଂ କନ୍ଧମାଳ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପୁନଃ ଗ୍ରାମବାସୀ ଅଭିଯୋଗ କରିବାକୁ ଦାରିଙ୍ଗବାଡି ପହଞ୍ଚିଛନ୍ତି। ଅଭିଯୋଗର ତଦନ୍ତ କରାଯାଇ ସତ୍ୟାସତ୍ୟ ଜାଣିବା ପରେ ମଧ୍ୟ ସ୍ବାସ୍ଥ୍ୟାଧିକାରୀମାନେ କୌଣସି ପଦକ୍ଷେପ ନ ନେବାରୁ ଉତ୍ତେଜନା ଦେଖାଯାଇଛି।
ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ଆଶାକର୍ମୀ ଲଷ୍ମୀ ବଡମାଝୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଆମେ ତଦନ୍ତ କରିଥିଲୁ। ଘଟଣା ସତ୍ୟ। ଲୋକଙ୍କ ଦାବି ପ୍ରକାରେ ଆମେ ନୂତନ ଆଶାକର୍ମୀ ନିଯୁକ୍ତି ପାଇଁ ବିଜ୍ଞାପନ କରାଇବୁ ବୋଲି ସେ କହିଛନ୍ତି। ପୂର୍ବରୁ ତଦନ୍ତରେ ଯାଇଥିବା ବିପିଏମ୍ଙ୍କ ବଦଳି ପରେ ନୂତନ ବିପିଏମ୍ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ତେଣୁ ଅଦଳ ବଦଳ ଯୋଗୁ ବିଳମ୍ବ ହୋଇଥିଲା। ଆମେ ତୁରନ୍ତ ନୂଆ ନିଯୁକ୍ତି ଦେବୁ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily