ଭଞ୍ଜନଗରର ୧୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପୁରସ୍କାର, ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଦିଆଯାଉଛି…

ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଲକ୍ଷ୍ୟ ରଖିଛନ୍ତି। ତେଣୁ ୨୦୨୨ରୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସଂପୃକ୍ତ ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହିଭଳି ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୧୦ ଟି ପଞ୍ଚାୟତ ସରପଞ୍ଚ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ଜିଲାସ୍ତରୀୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ସେଥିମଧ୍ୟରୁ ଭଞ୍ଜନଗର ବ୍ଲକର ଗୋଲପଡା, ଗୁଣ୍ଡିରିବାଡି, ତୁରୁମୁ, ଲାଲସିଂ ଏବଂ ଦୋମୁହାଣୀ ପଞ୍ଚାୟତ ଯକ୍ଷ୍ମା ମୁକ୍ତ ହୋଇଛି। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକର ଆଦିବାସୀ ବହୁଳ ଗାୟଗଣ୍ଡା ପଞ୍ଚାୟତ ସମେତ ବୁଡୁରୁଙ୍ଗୁ, ଅଲାଡ଼ି, ବିଡିପୁର ଓ ଚଢ଼େୟାପଲ୍ଲୀ ପଞ୍ଚାୟତ ଯକ୍ଷ୍ମା ରୋଗ ମୁକ୍ତ ହୋଇଛି। କିଛି ପଞ୍ଚାୟତକୁ ବ୍ରୋଞ୍ଜ ଓ ସିଲଭର ଉଭୟ ପୁରସ୍କାର ମିଳିଛି। ଏଥିସହ ୨୦୨୫-୨୬ ବର୍ଷରେ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଆଉ ୨୦ ଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପଞ୍ଚାୟତ କରିବା ଲକ୍ଷ୍ୟ ଅଛି। ବ୍ରହ୍ମପୁରରେ ଅନୁଷ୍ଠିତ ଜିଲାସ୍ତରୀୟ ଉତ୍ସବରେ ଜଗନ୍ନାଥପ୍ରସାଦ ମେଡ଼ିକାଲ ଅଫିସର ଡ ପଞ୍ଚାନନ ସେଠୀ ,
ଜଗନ୍ନାଥପ୍ରସାଦ ବ୍ଲକ ବରିଷ୍ଠ ଯକ୍ଷ୍ମା ରୋଗ ପର୍ଯ୍ୟବେକ୍ଷକ ଦୁର୍ଗା ପ୍ରସାଦ ପାତ୍ର, ଏବଂ ଭଞ୍ଜନଗର ବ୍ଲକର ଗାଲେରୀ ମେଡ଼ିକାଲ ଅଫିସର ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀ ଏବଂ ସରପଞ୍ଚମାନେ ଯୋଗଦେଇ ପୁରସ୍କାର ଗ୍ରହଣ କରିଥିଲେ। ବର୍ତ୍ତମାନ ଜିଲାରେ ପ୍ରାୟ ୫ ହଜାରରୁ ଅଧିକ ଯକ୍ଷ୍ମା ରୋଗୀ ଅଛନ୍ତି। ଜିଲାର ୫୦୩ ପଞ୍ଚାୟତ ମଧ୍ୟରୁ ଇତିମଧ୍ୟରେ ୧୬୫ ପଞ୍ଚାୟତ ଯକ୍ଷ୍ମା ରୋଗ ମୁକ୍ତ ହୋଇଛି। ଚଳିତ ବର୍ଷ ଆଉ ୨୦୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ସମସ୍ତ ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି । ଶୁଖିଲା ଖାଦ୍ୟ ମଧ୍ୟ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରଦାନ କରାଯାଉଛି । ଏଥିସହ ଜଣେ ରୋଗୀଙ୍କୁ ୬ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି । ବିଭିନ୍ନ କାରଣ ଯୋଗୁ ଯକ୍ଷ୍ମା (ଟିବି) ରୋଗ ହେଉଛି। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଞ୍ଜାମ ଜିଲା ଟିବି ରୋଗ ମୁକ୍ତ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏଠାରେ ସୂଚନା ଦେଇଛନ୍ତି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଘୋଷଣା ପୂର୍ବରୁ ସବୁ ପ୍ରକାର ପରୀକ୍ଷା କରାଯାଉଛି । ଏହାପରେ ଘୋଷଣା କରାଯାଇଛି। ଦିନ ଥିଲା ଟିବି ହେଲେ ଲୋକେ ଭୟଭୀତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଆଉ ସେ ସମୟ ନାହିଁ।

Dharitri – The Largest & Most Trusted Odia Daily