ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା କେତେକ ନଳକୂପ ଗୁଡିକ ରାସ୍ତାରୁ ତଳେ ରହିଯାଇଛି ା ରାସ୍ତା ତଳେ ରହିଯାଇଥିବାରୁ ନଳକୂପ ଗୁଡିକ ପଥଚାରୀଙ୍କୁ ଦେଖାଯାଉନାହିଁ ା ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନେ ପିଇବା ପାଣି ପାଇଁ ହଟହଟା ହେଉଛନ୍ତି ା ରାସ୍ତା ତଳେ ନଳକୂପ ଥିବାରୁ ସ୍ଥାନୀୟ ଲୋକେ ବ୍ୟବହାର କରୁଥିବାରୁ ଚାନ୍ଦିନି ଉପରେ ପାଣି ଜମି ରହୁଛି ା ସେହି ନଳକୂପ ଗୁଡିକର ପାଣି ବ୍ୟବହାର ହେଉଥିବାରୁ ନାନାଦି ରୋଗ ଆଶଙ୍କା ରହିଛି ା ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ସମାନତାରେ ନଳକୂପ ଗୁଡିକର ଚାନ୍ଦିନି ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।
ସୂଚନା ଅନୁଯାୟୀନ୍, ଉକ୍ତ ରାସ୍ତାର ଯୋଗୀସର୍ଡ କଲେଜ ନିକଟସ୍ଥ ଚାରିଛକ କୋଣରେ ଏକ ନଳକୂପ ରହିଛି। ଉକ୍ତ ଚାରିଛକର ପୂର୍ବରୁ ଭାଲୁପାଲି ରାସ୍ତା ଉଚ୍ଚତାରେ ରହିଥିବାବେଳେ ଗୁର୍ଜିଭାଟ-ବାଦିବାହାଲ ନୂତନ ରାସ୍ତା ନିର୍ମାଣ ପରେ ଉକ୍ତ ରାସ୍ତାର ଉଚ୍ଚତା ମଧ୍ୟ ବୃଦ୍ଧି ପାଇଛି। ଏଣୁ ଉକ୍ତ କୋଣରେ ଥିବା ନଳକୂପ ରାସ୍ତା ତଳେ ରହିଯାଇଥିବାରୁ ଆଉ ଯାତ୍ରୀଙ୍କୁ ଦୃଶ୍ୟମାନ ହେଉନାହିଁ ା ଏହାଛଡା ରାସ୍ତା ଉଚ୍ଚତା ପରେ ପାଣି ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ନଳକୂପ ଚାନ୍ଦିନିରେ ପାଣି ଜମି ରହୁଛି ା କଲେଜ ଛାତ୍ରୀଛାତ୍ର ସମେତ ସେହି ଅଞ୍ଚଳରେ ରହିଥିବା ହୋଟେଲ ବ୍ୟବସାୟୀମାନେ ଉକ୍ତ ନଳକୂପ ପାଣି ଲୋକଙ୍କୁ ପିଉଥିବାରୁ ଜଳବାହିତ ରୋଗ ହେବା ନେଇ ଆଶଙ୍କା ଦେଖାଦେଇଛି।
ସେହିପରି ବାଦିବାହାଲ ହନୁମାନଛକ ଠାରେ ବାଦିବାହାଲ ବସ୍ତିକୁ ପ୍ରବେଶ ଗେଟ ନିକଟରେ ଆଉ ଏକ ନଳକୂପ ରହିଛି। ସେଠାରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛିା ଏଣୁ ବ୍ଲକ ପ୍ରଶାସନ ଓ ଜନ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କ ସହିତ କଥା ହୋଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବିଭାଗୀୟ ଯନ୍ତ୍ରୀ ମରିଶ ରୋଶନ କହିଛନ୍ତି।