ମିଛ ଅପହରଣ ପରେ ସତ ବାହାଘର

ହାଇଦ୍ରାବାଦ୍‌,୨୧।୧୨: ତେଲଙ୍ଗାନାର ରାଜନ୍ନା ଜିଲାର ଏକ ଗ୍ରାମରେ ନାଟକୀୟ ଢଙ୍ଗରେ ଜଣେ ଝିଅ ନିଜ ପ୍ରେମିକଙ୍କୁ ବାହା ହୋଇଛନ୍ତି। ଅପହରଣ ହେବାର ୧୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାର ସତ ପଦାରେ ପଡ଼ିଛି। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟାବେଳେ ଝିଅଜଣକ ମନ୍ଦିରରୁ ବାପାଙ୍କ ସହ ଫେରୁଥିଲେ। ଏତିକିବେଳେ ୪ ଜଣ ମୁଖାପିନ୍ଧା ଯୁବକ କାର୍‌ରେ ଆସି ବାପାଙ୍କୁ ଠେଲାପେଲା କରି ଝିଅଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ୧୮ ବର୍ଷୀୟା ଯୁବତୀଙ୍କ ବାପା ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଅଭିଯୋଗ କଲେ। ଘଟଣାର ତଦନ୍ତ ଲାଗି ପୋଲିସ ୬ଟି ଟିମ୍‌ ଗଠନ କରି ଝିଅଙ୍କୁ ଖୋଜିବାରେ ଲାଗିଗଲା। ମଙ୍ଗଳବାର ସନ୍ଧ୍ୟାରେ ଏକ ଭିଡିଓ ଜାରି କରି ସମ୍ପୃକ୍ତା ଝିଅ ନିଜ ମିଛ ଅପହରଣର ଗୁମର ଫିଟାଇଥିଲେ।
ଅପହରଣ କରିଥିବା ଯୁବକଙ୍କ ମଧ୍ୟରୁ ଜଣେ ଥିଲେ ସମ୍ପୃକ୍ତା ଝିଅଙ୍କ ପ୍ରେମିକ। ପୁଅ ଛୋଟ ଜାତିର ହୋଇଥିବା ଯୋଗୁ ଝିଅଙ୍କ ବାପା ଏ ସମ୍ପର୍କକୁ ସ୍ବୀକୃତି ଦେଉ ନ ଥିଲେ। ଏହାପରେ ଦୁହେଁ ମିଶି ଏକ ଅପହରଣ ନାଟକର ଯୋଜନା କଲେ। ଘଟଣାର ୧୦ ମାସ ପୂର୍ବରୁ ଦୁହେଁ ବାହା ହୋଇଯାଇଥିବାବେଳେ ଯୌନ ନିଯ୍ୟାତନା ଏବଂ ଶିଶୁ ବିବାହ ମାମଲାରୁ ବର୍ତ୍ତିବା ପାଇଁ ସେମାନେ ବାହାଘରକୁ ଗୋପନୀୟ ରଖିଥିବା ଭିଡିଓରେ ଝିଅଜଣକ କହିଛନ୍ତି। ଅପହରଣ ପରେ ଦୁହେଁ ଏକ ମନ୍ଦିରରେ ବୈଦିକ ରୀତିନୀତିରେ ବାହାହୋଇଛନ୍ତି।

Share