ଟ୍ରମ୍ପ୍‌ଙ୍କ ଟାରିଫ୍‌ : ୬୦% ଆମେରିକୀୟ ଅସନ୍ତୁଷ୍ଟ

ଓ୍ବାଶିଂଟନ୍‌,୨୩ା୨: ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ‘ମାଗା’(ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌) ସଙ୍କଳ୍ପକୁ ଅଗ୍ରାଧିକାର ଦେଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଗେଇଥିଲେ। ଏହି କ୍ରମରେ ସେ ବିଭିନ୍ନ ରାଷ୍ଟ୍ର ଉପରେ ଅଧିକ ହାରରେ ଟାରିଫ୍‌ ଲଗାଇବା ଆରମ୍ଭ କରିଥିଲେ। କିନ୍ତୁ ଅନ୍ୟାନ୍ୟ ଦେଶ ତୁଳନାରେ ଆମେରିକାରେ ହିଁ ଏହି ଟାରିଫ୍‌ ନୀତିକୁ ନେଇ ଅଧିକ ଚର୍ଚ୍ଚା ହୋଇଆସିଥିଲା। ତେବେ ଟ୍ରମ୍ପ୍‌ଙ୍କ ଏହି ଟାରିଫ୍‌ ନୀତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ଏହି ପ୍ରସଙ୍ଗ ବିଶ୍ୱବ୍ୟାପୀ ଆହୁରି ଚର୍ଚ୍ଚିତ ହେବାରେ ଲାଗିଛି। ଏହାମଧ୍ୟରେ ଆମେରିକାରେ କରାଯାଇଥିବା ଏକ ଜନମତ ସର୍ଭେ ଅନୁଯାୟୀ ଟାରିଫ୍‌କୁ ନେଇ ୬୦% ଆମେରିକୀୟ ଅସନ୍ତୁଷ୍ଟ ରହିଥିବା ଜଣାପଡ଼ିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ନିଯୁକ୍ତି, ମହଙ୍ଗା ସମସ୍ୟା ଏବଂ ଆମେରିକାର ବହିର୍ବ୍ୟାପାର ନୀତିକୁ ନେଇ ଦୈନନ୍ଦିନ ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ଦେଶକୁ କିଭଳି ନୀତିରେ ଚଳାଉଛନ୍ତି ବୋଲି ସର୍ବାଧିକ ନାଗରିକ ପ୍ରଶ୍ନ ଉଠାଇଛନ୍ତି। ଏବିସି ନ୍ୟୁଜ୍‌,ଓ୍ବାଶିଂଟନ୍‌ ପୋଷ୍ଟ ଏବଂ ଇପ୍‌ସୋସ୍‌ ପୋଲ୍‌ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଆମେରିକୀୟ ଟ୍ରମ୍ପ୍‌ଙ୍କ ଟାରିଫ୍‌ ଏବଂ ମହଙ୍ଗାସ୍ଥିତି ମୁକାବିଲା ନୀତିକୁ ନାପସନ୍ଦ କରିଛନ୍ତି। ସେହିପରି ୬୨% ଆମେରିକୀୟ ଟ୍ରମ୍ପଙ୍କ ବିଦେଶ ନୀତିକୁ ନାପସନ୍ଦ କରିଛନ୍ତି। ଏହାଛଡ଼ା ପ୍ରବାସନ ନିୟମ ଏବଂ ଅର୍ଥନୀତିର ଅନ୍ୟାନ୍ୟ ଦିଗକୁ ନେଇ ଟ୍ରମ୍ପ୍‌ ଯେଉଁ ଆଭିମୁଖ୍ୟ ଆପଣେଇଛନ୍ତି ତାହାକୁ ମଧ୍ୟ ସର୍ବାଧିକ ନାଗରିକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାସତ୍ତ୍ୱେ ଆମେରିକୀୟ କଂଗ୍ରେସରେ ଡେମୋକ୍ରାଟ୍‌ ଦଳ ପ୍ରତି ଲୋକଙ୍କ ଭରସା କମ୍‌ ରହିଛି। ଦେଶର ସାମ୍ପ୍ରତିକ ସମସ୍ୟା ଦୂର କରିବାରେ କେଉଁ ଦଳ ସକ୍ଷମ ହେବ ବୋଲି ପ୍ରଶ୍ନ କରାଯାଇଥିଲା ବେଳେ ଟ୍ରମ୍ପ୍‌ଙ୍କ ରିପ୍ଲବିକାନ୍‌ ଦଳକୁ ୩୩ ପ୍ରତିଶତ, ଡେମୋକ୍ରାଟ୍‌ ଦଳକୁ ୩୧ ପ୍ରତିଶତ ସମର୍ଥନ ମିଳିଛି। ୩୧ ପ୍ରତିଶତ ମତଦାତା କୌଣସି ଦଳ ପ୍ରତି ସମର୍ଥନ ଜଣାଇ ନାହାନ୍ତି।

Dharitri – Odisha’s No.1 Odia Daily

Share