ଓ୍ବାଶିଂଟନ,୧୧ା୧: ସମସ୍ୟା ଘେରରେ ଥିବା ଭେନେଜୁଏଲା ତୈଳ ଶିଳ୍ପର ପୁନରୁଦ୍ଧାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନୂ୍ୟନ ୧୦୦ ବିଲିୟନ ଡଲାର ଘରୋଇ ସେକ୍ଟର ନିବେଶ ନିମନ୍ତେ ଚାପ ପକାଉଥିବାବେଳେ ନିଜ ଦେଶର ବୃହତ୍ ତୈଳ କମ୍ପାନୀଗୁଡ଼ିକ ଏହାର ବିରୋଧ କରିଛନ୍ତି। ଦୀର୍ଘବର୍ଷ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା, ଆଇନଗତ ଅନିଶ୍ଚିତତା ଏବଂ ଜରାଜୀର୍ଣ୍ଣ ଶକ୍ତି ଭିତ୍ତିଭୂମି ବିଶିଷ୍ଟ ଭେନେଜୁଏଲାକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ସହଜ ନୁହେଁ ବୋଲି ସେମାନେ କହିଛନ୍ତି। ଏକ ହାଇପ୍ରୋଫାଇଲ୍ ହ୍ବାଇଟ୍ ହାଉସ୍ ବୈଠକରେ ଚେଭ୍ରୋନ୍, ଏକ୍ସନମୋବିଲ୍, କୋନୋକୋଫିଲିପ୍ସ ଏବଂ ଅନ୍ୟ ତୈଳ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀମାନଙ୍କୁ ଭେନେଜୁଏଲାର ତୈଳ ଉତ୍ପାଦନର ପୁନଃନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଟ୍ରମ୍ପ୍ ଆହ୍ବାନ ଦେଇଥିଲେ। ଏହା ଏକ ଐତିହାସିକ ସୁଯୋଗ ବୋଲି ଟ୍ରମ୍ପ୍ କହିବା ସହ ଏଥିପାଇଁ ସୁରକ୍ଷା ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇଥିଲେ। ବହୁବର୍ଷର ଉପେକ୍ଷା ପରେ ଏବେ ପୁଞ୍ଜିନିବେଶ ପାଇଁ ଭେନେଜୁଏଲା ପରିପକ୍ୱ ସ୍ଥିତିରେ ରହିଛି। ଘରୋଇ ଶିଳ୍ପରୁ ୧୦୦ ବିଲିୟନ ଡଲାର ନିବେଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତେବେ ଟ୍ରମ୍ପ୍ ପ୍ରଶାସନର ଅପିଲ୍ ସତ୍ତ୍ୱେ ଅଧିକାଂଶ ସିଇଓ ନିବେଶ ନେଇ କୌଣସି ଦୃଢ଼ ପ୍ରତିଶ୍ରୁତି ଦେଇନାହାନ୍ତି। ଭେନେଜୁଏଲାର ବ୍ୟବସାୟିକ ପରିବେଶକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।
Dharitri – The Largest & Most Trusted Odia Daily