ଟ୍ରମ୍ପ୍‌ଙ୍କ ନୂଆ ବିଲ୍‌ରେ ରିମିଟାନ୍ସ ଟ୍ୟାକ୍ସ ୧%କୁ ହ୍ରାସ

ନୂଆଦିଲ୍ଲୀ,୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଗ୍‌ ବିଉଟିଫୁଲ୍‌ ବିଲ୍‌ରେ ପ୍ରସ୍ତାବିିତ ୫ ପ୍ରତିଶତ ରିମିଟାନ୍ସ ଟ୍ୟାକ୍ସକୁ ୧ ପ୍ରତିଶତକୁ ହ୍ରାସ କରାଯାଇଛି। ଏହି ବିଲ୍‌ ସିନେଟ୍‌ର ଏକ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛି। ସଂଶୋଧିତ ବିଲ୍‌ରେ ଟିକସ ହ୍ରାସ କରାଯାଇଥିବାରୁ ଆମେରିକାରେ କାର୍ଯ୍ୟ କରୁଥିବା ଭାରତୀୟ ପେସାଦାର ଏବଂ ପ୍ରବାସୀ ଭାରତୀୟମାନେ ନିଜ ଦେଶକୁ ଟଙ୍କା ପଠାଇବାରେ ଅଧିକ ଟିକସ ଦେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ବୋଲି କୁହାଯାଉଛି। ନଗଦ ଅର୍ଥ, ମନିଅର୍ଡର ଏବଂ କ୍ୟାଶିୟର୍ସ ଚେକ୍‌ ଜରିଆରେ ଟଙ୍କା ପ୍ରେରଣ କ୍ଷେତ୍ରରେ ଉକ୍ତ ଟିକସ ଲାଗୁ ହେବ। ତେବେ ଆର୍ଥତ୍କ ସଂସ୍ଥାରେ ଥିବା କିମ୍ବା ଏହାଦ୍ୱାରା ପରିଚାଳିତ ଆକାଉଣ୍ଟ ପାଇଁ ରିମିଟାନ୍ସକୁ ବାଦ୍‌ ଦିଆଯାଇଛି। ସେହିପରି ଆମେରିକା ଜାରି କରିଥିବା ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡରେ ଯେଉଁମାନେ ପାଣ୍ଠି ଲଗାଇଛନ୍ତି, ସେମାନେ ମଧ୍ୟ ଉକ୍ତ ଟିକସରୁ ବାଦ୍‌ ପଡ଼ିବେ। ଗତ ମେ’ରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ର ପୂର୍ବ ଭର୍ସନ ଗୃହୀତ ହୋଇଥିବାବେଳେ ପ୍ରସ୍ତାବିତ ୫% ଟିକସକୁ ନେଇ ବହୁ ଭାରତୀୟ ପେସାଦାର ଚିନ୍ତାରେ ଥିଲେ।