ଓ୍ବାଶିଂଟନ,୮ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଚଣ୍ଡ ରାଗି ଯାଇଛନ୍ତି। ଟ୍ରମ୍ପ ରବିବାର ହମାସକୁ ଏକ ଶେଷ ଚେତାବନୀ ଦେଇ କହିଛନ୍ତି ଯେ, ହମାସ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସର୍ତ୍ତରେ ରାଜି ହେବା ଉଚିତ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ମୋର ସର୍ତ୍ତ ଗ୍ରହଣ କରିଛି, ଏବେ ହମାସ ବି ରାଜି ହେବା ଉଚିତ।
ଟ୍ରମ୍ପ ପାଲେଷ୍ଟାଇନୀ ଆତଙ୍କବାଦୀ ସଂଗଠନ ହମାସକୁ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଚୁକ୍ତି ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି। ଟ୍ରମ୍ପ କହିଛନ୍ତି, ସମସ୍ତ ବନ୍ଧକଙ୍କୁ ଘରକୁ ଫେରାଇ ଆଣିବାକୁ ଚାହାନ୍ତି। ସମସ୍ତେ ଚାହାନ୍ତି ଏହି ଯୁଦ୍ଧର ଅନ୍ତ ହେଉ। ଇସ୍ରାଏଲୀମାନେ ମୋର ସର୍ତ୍ତଗୁଡ଼ିକୁ ଗ୍ରହଣ କରିଛନ୍ତି। ଏବେ ହମାସର ମଧ୍ୟ ରାଜି ହେବାର ସମୟ ଆସିଛି। ମୁଁ ହମାସକୁ ଚେତାବନୀ ଦେଇସାରିଛି ଯେ, ଯଦି ସେ ରାଜି ନ ହୁଏ, ତେବେ ପରିଣାମ ଭୋଗିବାକୁ ପଡ଼ିବ। ଏହା ମୋରଶେଷ ଚେତାବନୀ ବୋଲି ଟ୍ରମ୍ପ କହିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଶନିବାର ହମାସ ନିକଟରେ ଏକ ଯୁଦ୍ଧବିରତି ପ୍ରସ୍ତାବ ରଖିଥିଲେ। ଏହା ଅଧୀନରେ, ହମାସକୁ ଯୁଦ୍ଧବିରତିର ପ୍ରଥମ ଦିନରେ ବାକି ୪୮ ବନ୍ଧକଙ୍କୁ ମୁକ୍ତ କରିବାକୁ ପଡ଼ିବ, ଏବଂ ବଦଳରେ ଇସ୍ରାଏଲରେ ବନ୍ଦୀ ଥିବା ହଜାର ହଜାର ପାଲେଷ୍ଟାଇନୀ ବନ୍ଦୀଙ୍କୁ ମୁକ୍ତ କରାଯିବ। ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି, ଇସ୍ରାଏଲ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ବିଚାର କରୁଛି।