ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବ୍ୟାକଫୁଟରେ ଥିବା ଜଣାପଡ଼ିଛି।
ଇରାନ ସହ ଚାଲିଥିବା ଯୁଦ୍ଧ ଏବେ ୫ମ ସପ୍ତାହରେ ପ୍ରବେଶ କରିଥିବା ବେଳେ ଆମେରିକା ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଇରାନ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଆମେରିକାକୁ କଡ଼ା ଜବାବ ଦେଉଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚମକାଇବା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକୀୟ ସେନା ଖୁବଶୀଘ୍ର ଇରାନ ଛାଡ଼ିପାରେ।
ରଏଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଖୁବଶୀଘ୍ର ଇରାନ୍‌ରୁ ବାହାରିଯିବ। ଅର୍ଥାତ ଆମେରିକୀୟ ସେନା ପ୍ରତ୍ୟାହାର ପ୍ରକ୍ରିୟା ତୁରନ୍ତ ଆରମ୍ଭ ହୋଇପାରେ। ଟ୍ରମ୍ପ ନାଟୋ ସଦସ୍ୟ ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁଦ୍ଧ ସମୟରେ ନାଟୋ ଆମେରିକାକୁ ସହଯୋଗ କରୁ ନ ଥିବାରୁ, ସେ ନାଟୋରୁ ଆମେରିକାକୁ ବାହାର କରିବା ପାଇଁ ବିଚାର କରୁଥିବା କହିଛନ୍ତି। ସେ ଏହାକୁ ଏକ ’ଏକପାଖିଆ ସମ୍ପର୍କ’ ବୋଲି ଅଭିହିତ କରିଛନ୍ତି।
ଯୁଦ୍ଧ ଯୋଗୁ ଆମେରିକାରେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି, ଯାହା ସାଧାରଣ ଜନତାଙ୍କ ଉପରେ ବୋଝ ସୃଷ୍ଟି କରିଛି। ଏହି କାରଣରୁ ପରିସ୍ଥିତି ସୁଧାରିବା ପାଇଁ ଟ୍ରମ୍ପଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି।
ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକାର ଆକ୍ରମଣ ଯୋଗୁ ଇରାନ ପାଖରେ ପରମାଣୁ ଅସ୍ତ୍ର ରହିବ ନାହିଁ। ସୁପ୍ରିମ ଲିଡର ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ସମ୍ପୂର୍ଣ୍ଣ ସତ୍ତା ପରିବର୍ତ୍ତନ ହୋଇଛି ଏବଂ ନୂଆ ନେତାମାନଙ୍କ ସହ ଏକ ବଡ଼ ଚୁକ୍ତି ହେବାର ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

Share