ଟ୍ରମ୍ପଙ୍କ ବଡ଼ ଘୋଷଣା: ଏହି ଦିନଠୁ ଭାରତ ଉପରେ ଲାଗୁ ହେବ ଟାରିଫ୍‌, ବିଦେଶୀ ସହାୟତା ଉପରେ ଲଗାଇଲେ ରୋକ

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ବୁଧବାର ଟ୍ରମ୍ପ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ ଚାମ୍ବରରେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି। ଜାନୁଆରୀ ୨୦ ତାରିଖରେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଭାଷଣ । ଟ୍ରମ୍ପଙ୍କ ଏହି ଅଭିଭାଷଣ ଏପରି ଏକ ସମୟରେ ଆସିଛି ଯେତେବେଳେ ସେ ମେକ୍ସିକୋ, କାନାଡା ଏବଂ ଚାଇନା ଉପରେ ବ୍ୟାପକ ଟାରିଫ୍‌ ଲାଗୁ କରିଛନ୍ତି ଏବଂ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଆମେରିକୀୟ ସାମରିକ ସହାୟତା ପ୍ରତ୍ୟାହାର କରିଛନ୍ତି।

ଏହି ସମୟରେ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଚାଇନା ବିରୋଧରେ ପାରସ୍ପରିକ ଟାରିଫ୍‌ ଏପ୍ରିଲ ୨ରୁ ଲାଗୁ ହେବ। ପୂର୍ବରୁ ଆମେରିକା କାନାଡା, ମେକ୍ସିକୋ ଏବଂ ଚାଇନା ଉପରେ ଟାରିଫ୍‌ ଲଗାଯାଇଥିଲା।

ଏଥିସହିତ ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, ଏବେ ଦେଶରେ ଓଭରଟାଇମ ଏବଂ ଟିପ୍ସ ଉପରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ସେହିପରି ଟ୍ରମ୍ପ ସମସ୍ତ ବିଦେଶୀ ସହାୟତା ଉପରେ ରୋକ ଲଗାଇବା ଘୋଷଣା କରିଛନ୍ତି, ଯାହା ଆମେରିକାର ନୀତିରେ ଏକ ବଡ଼ ପରିବର୍ତ୍ତନର ଏକ ସଙ୍କେତ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ଆମେରିକାର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ଆଣିବା ପାଇଁ ସଂଘର୍ଷ କରୁଛି। ଏହା ବଡ଼ ସ୍ବପ୍ନ ଏବଂ ସାହସିକ କାର୍ଯ୍ୟର ସମୟ। ଆମେ ଜୋ ବାଇଡେନଙ୍କ ସମସ୍ତ ପରିବେଶଗତ କଟକଣାକୁ ସମାପ୍ତ କରିଦେଇଛୁ ଯାହା ଆମ ଦେଶକୁ କମ୍‌ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ପ୍ରଭାବହୀନ କରୁଥିଲା।

ଟ୍ରମ୍ପ ଆହୁରି କହିଛନ୍ତି ଯେ ତାଙ୍କ ପ୍ରଶାସନ ୫ ନିୟୁତ ଡଲାରର ଏକ ଗୋଲ୍ଡ କାର୍ଡ ଆରମ୍ଭ କରୁଛି ଯାହା ବିଶ୍ୱର ପ୍ରତିଭାବାନ ଏବଂ ପରିଶ୍ରମୀ ଲୋକଙ୍କୁ ଆମେରିକୀୟ ନାଗରିକତା ପାଇବା ପାଇଁ ଏକ ପଥ ପ୍ରଦାନ କରିବ। ଏହା ଗ୍ରୀନ କାର୍ଡ ପରି, କିନ୍ତୁ ଅନେକ ଦୃଷ୍ଟିରୁ ଏହା ଅପେକ୍ଷା ଭଲ।

 

Share