ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ ଉପରେ ନୂତନ ଟାରିଫ୍‌ ଲାଗୁ କରିବା ବିଷୟରେ ବିଚାର କରିପାରେ। ଟ୍ରମ୍ପ ହ୍ବାଇଟ ହାଉସରେ ଅନୁଷ୍ଠିତ ଏକ ବୈଠକରେ ଏହି ବିବୃତ୍ତି ଦେଇଛନ୍ତି, ଯେଉଁଠାରେ ଚାଷୀମାନେ ଆମେରିକା ବଜାରରେ ଶସ୍ତା ବିଦେଶୀ ଉତ୍ପାଦର ପ୍ରଭାବ ବିଷୟରେ ଅଭିଯୋଗ କରିଥିଲେ। ଆମେରିକୀୟ ଚାଷୀଙ୍କ ପାଇଁ ଘୋଷଣା କରାଯାଇଥିବା ୧୨ ବିଲିୟନ ଡଲାରର ରିଲିଫ ପ୍ୟାକେଜ ସମୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଉପସ୍ଥିତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, କିଛି ଦେଶ ଆମେରିକା ବଜାରରେ କମ୍‌ ମୂଲ୍ୟରେ ଚାଉଳ ବିକ୍ରି କରୁଛନ୍ତି, ଯାହା ଫଳରେ ଘରୋଇ ଚାଷୀମାନଙ୍କୁ ବହୁତ କ୍ଷତି ହେଉଛି। ଟ୍ରମ୍ପ ଉତ୍ତର ଦେଇଥିଲେ, ସେମାନେ ଠକୁଛନ୍ତି।” ସେ ସୂଚିତ କରିଥିଲେ ଯେ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ ଟାରିଫ୍‌ ଲାଗୁ କରାଯିବ। ଲୁଇସିଆନାର କେନେଡି ରାଇସ ମିଲ୍ସର ସିଇଓ ମେରିଲ କେନେଡି ଦାବି କରିଛନ୍ତି ଯେ ଭାରତ, ଥାଇଲ୍ୟାଣ୍ଡ ଏବଂ ଚାଇନା ଏହି କଥିତ ଡମ୍ପିଂ ପାଇଁ ମୁଖ୍ୟ ଦେଶ। ସେ କହିଛନ୍ତି ଯେ ଚାଇନା ବହୁ ପରିମାଣର ଚାଉଳ ପଠାଉଛି, ବିଶେଷକରି ପୁଏର୍ଟୋ ରିକୋକୁ, ଯେଉଁଠାରେ ଆମେରିକୀୟ ଚାଉଳର ଯୋଗାଣ ବର୍ତ୍ତମାନ ପ୍ରାୟତଃ ବନ୍ଦ ହୋଇଯାଇଛି। କେନେଡି କହିଛନ୍ତି, “ଆମେ ବର୍ଷ ବର୍ଷ ଧରି ସେଠାରେ ଚାଉଳ ପଠାଉନାହୁଁ। ଦକ୍ଷିଣ ରାଜ୍ୟଗୁଡ଼ିକର ଚାଷୀମାନେ ଖରାପ ଭାବରେ ପ୍ରଭାବିତ ହେଉଛନ୍ତି।”