ଓ୍ୱାଶିଂଟନ୍ ,୧୫ା୩: ଇରାନ୍ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ଆହୁରି ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ପୂର୍ୱରୁ ଆମେରିକା ଉପରେ ପରୋକ୍ଷରେ ଚାପ ସୃଷ୍ଟି କରିବାକୁ ଇରାନ୍ ସାଉଦି ଆରବ, ୟୁଏଇ, କାତାର,ବାହାରିନ୍, କୁଏଟ୍ ଭଳି ବହୁ ଉପସାଗରୀୟ ଦେଶ ଉପରେ ଆକ୍ରମଣ କରିଥିଲା। ଏହାସହ ବୈଶ୍ୱିକସ୍ତରରେ ତୈଳ ସଙ୍କଟ ସୃଷ୍ଟି କରିବାକୁ ହର୍ମୁଜ୍ ସାମୁଦ୍ରିକ ପଥ ବନ୍ଦ କରିଦେଇଥିଲା। କିନ୍ତୁ ଇରାନ୍ର ଖାର୍ଗ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିବା ପରେ ହର୍ମୁଜ୍ ଷ୍ଟ୍ରେଟ୍ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଆମେରିକା ଆକ୍ରମଣରେ ଏଠାରେ ଥିବା ଇରାନ୍ର ପ୍ରମୁଖ ସାମରିକ ଭିତ୍ତିଭୂମି ନଷ୍ଟ ହୋଇଯାଇଥିଲେ ହେଁ ଇରାନ୍ ହର୍ମୁଜ୍ ଷ୍ଟ୍ରେଟ୍ ଚାରିପଟେ ବିପୁଳ ସଂଖ୍ୟାରେ କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ ଏବଂ ଓ୍ୱାଟର ମାଇନ୍ ବିଛାଇଛି। ତେଣୁ ଆଗକୁ ପଣ୍ୟବାହୀ ଜାହାଜଗୁଡିକୁ ସୁରକ୍ଷା ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ଦେଶର ସୈନିକଙ୍କୁ ମୁତୟନ କରିବା ସହିତ ଅନ୍ୟ ଦେଶଗୁଡିକୁ ମଧ୍ୟ ସୈନ୍ୟ ମୁତୟନ କରିବାକୁ କହିଛନ୍ତି। ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯେଭଳି ବୈଶ୍ୱିକ ତୈଳ ପରିବହନ ସ୍ୱାଭାବିକ ରହିବ ତାହାକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ୍ କହିଛନ୍ତି। ଏଥିପାଇଁ ଚାଇନା ସମେତ ଫ୍ରାନ୍ସ, ଜାପାନ, ଯୁକ୍ତରାଜ୍ୟ ଏବଂ ଦକ୍ଷିଣ କୋରିଆ ଆଦି ଦେଶ ସେମାନଙ୍କ ଯୁଦ୍ଧ ଜାହାଜ ମୁତୟନ କରି ତୈଳବାହୀ ଜାହାଜଗୁଡିକୁ ସୁରକ୍ଷା ଯୋଗାଇଦେବାକୁ ଟ୍ରମ୍ପ୍ କହିଛନ୍ତି। ଏହାମଧ୍ୟରେ ଜାପାନରେ ମୁତୟନ ହୋଇଥିବା ଆମେରିକାର ଯୁଦ୍ଧ ଜାହାଜ ୟୁଏସ୍ ଟ୍ରିପୋଲିକୁ ଇରାନ୍ ଉପକୂଳ ଅଭିମୁଖେ ପଠାଯାଇଛି। ଏଥିରେ ନିୟୋଜିତ ରହିଥିବା ୨୫୦୦ ମେରିନ୍ ହର୍ମୁଜ୍ ଷ୍ଟ୍ରେଟ୍ ସୁରକ୍ଷା ପାଇଁ ମୁତୟନ ହେବେ ବୋଲି କୁହାଯାଇଛି।