Categories: HomeHome Middle

ପୁଣି ଧମକ ଦେଲେ ଟ୍ରମ୍ପ: ଯଦି ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନ ହୁଏ…

ଓ୍ବାଶିଂଟନ,୧୯।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନାରେ ବିଳମ୍ବକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରାଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରୁଷିଆ କିମ୍ବା ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ମନେ ହେଉନାହିଁ, ଯାହା କାରଣରୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିନାହିଁ।

ସେ ଧମକ ଦେଇ କହିଛନ୍ତି, ଯଦି ରୁଷିଆ (ମସ୍କୋ) କିମ୍ବା ୟୁକ୍ରେନ (କିଭ) ଶାନ୍ତି ଚୁକ୍ତିନାମାରେ ଅଧିକ ସମସ୍ୟା ସୃଷ୍ଟି କରନ୍ତି, ତେବେ ଆମେରିକା ପଛକୁ ହଟିଯିବ ଏବଂ ସେମାନଙ୍କ ଆଲୋଚନାରେ ଅଧିକ ହସ୍ତକ୍ଷେପ କରିବ ନାହିଁ। ମୁଁ ଚାହୁଁଛି ଯୁଦ୍ଧ ଯଥାଶୀଘ୍ର ଶେଷ ହେଉ।

କିଛି ଦିନ ମଧ୍ୟରେ କୌଣସି ଠୋସ ଅଗ୍ରଗତି ନ ହେଲେ ଆମେରିକା ଆଲୋଚନାରୁ ଓହରିଯିବ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚେତାବନୀ ଦେବାର କିଛି ଘଣ୍ଟା ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆସିଛି।
ସେ ଏହା ମଧ୍ୟ କହିଥିଲେ, ଆମେରିକାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଉତ୍ତର-ପୂର୍ବାଞ୍ଚଳ ଖାରକିଭ ଏବଂ ସୁମି ସହରରେ ରୁଷିଆ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।

 

Share