ନୂଆଦିଲ୍ଲୀ,୨୫।୧: କେବଳ ଇସ୍ରାଏଲ୍ ଏବଂ ତୁର୍କୀକୁ ବାଦ୍ଦେଲେ ୟୁକ୍ରେନ୍ ସମେତ ଅଧିକାଂଶ ଦେଶକୁ ଆମେରିକା ବିଦେଶୀ ସହାୟତା ବନ୍ଦ କରିଦେଇଛି। ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ, ଯେଉଁଥିରେ ବିଦେଶୀ ସହାୟତାକୁ ନେଇ ‘ଆମେରିକା ଫାଷ୍ଟ’ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଆଯାଇଛି।
ଏଣିକି ଦେଶଗୁଡ଼ିକୁ ନୂଆ ପାଣ୍ଠି ମଞ୍ଜୁର କରାଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଛି। କେବଳ ଇସ୍ରାଏଲ୍ ଏବଂ ଇଜିପ୍ଟକୁ ଜରୁରୀ ଖାଦ୍ୟ ଓ ସାମରିକ ପାଣ୍ଠି ଯୋଗାଇ ଦିଆଯିବ।
ଆମେରିକା ପ୍ରଶାସନର ଏହି ନିର୍ଦ୍ଦେଶନାମା ବିକାଶ ଓ ସାମରିକ ସହାୟତା ଆଦି ବିଭିନ୍ନ ବର୍ଗର ସହାୟତାକୁ ପ୍ରଭାବିତ କରିବ, ବିଶେଷକରି ୟୁକ୍ରେନ୍ ଅଧିକ ପ୍ରଭାବିତ ହେବ। ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ୟୁକ୍ରେନ୍କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଓ ସହାୟତା ଯୋଗାଇ ଦେଇଥିଲା। ସହାୟତା ବନ୍ଦ ଯୋଗୁ ଆଫ୍ରିକାର ବିକାଶଶୀଳ ଦେଶଗୁଡ଼ିକରେ ଏଚ୍ଆଇଭି/ଏଡ୍ସ ଚିକିତ୍ସା ପ୍ରଭାବିତ ହେବ।