ଓ୍ବାଶିଂଟନ୍/ଦୁବାଇ,୭ା୩: ଇରାନ୍ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ଇରାନ୍ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍ ଆତ୍ମସମର୍ପଣ ନ କଲେ ଯୁଦ୍ଧର ପରିସମାପ୍ତି ପାଇଁ ଆଲୋଚନା କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯୁଦ୍ଧାବସାନ ପାଇଁ ପ୍ରଥମ କୂଟନୈତିକ ପ୍ରୟାସ ସ୍ବରୂପ କେତେକ ରାଷ୍ଟ୍ର ପକ୍ଷରୁ ମଧ୍ୟସ୍ଥତା ଉଦ୍ୟମ ଆରମ୍ଭ ହୋଇଥିବା ନେଇ ଇରାନ୍ ରାଷ୍ଟ୍ରପତି ମସୌଦ ପେଜେଶ୍କିଆନ୍ ଘୋଷଣା କରିବା ପରେ ଟ୍ରମ୍ପ୍ ଏହି ମନ୍ତବ୍ୟ ଦେଇଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ୍ ଲେଖିଛନ୍ତି, ନିଃସର୍ତ୍ତ ଆତ୍ମସମର୍ପଣ ବିନା ଇରାନ୍ ସହ କୌଣସି ଡିଲ୍ ହେବନାହିଁ। ଆତ୍ମସମର୍ପଣ ପରେ ଇରାନ୍ରେ ସମସ୍ତଙ୍କ ପାଇଁ ଜଣେ ମହାନ୍ ଓ ଗ୍ରହଣୀୟ ନେତା ଅବସ୍ଥାପିତ ହେବେ। ସେହି ନେତା ଧ୍ୱଂସାଭିମୁଖୀ ଇରାନ୍କୁ ବିକାଶ ଦିଗରେ ଅଗ୍ରସର କରାଇବେ। ଇରାନ୍ ଆର୍ଥିକ ଦୃଷ୍ଟିରୁ ଆହୁରି ବଡ଼, ଉନ୍ନତ ଓ ଶକ୍ତିଶାଳୀ ହୋଇ ଉଭା ହେବ, ଯାହାକି ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଏହା ପୂର୍ବରୁ ଟ୍ରମ୍ପ୍ ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ପୁଅ ମୋଜ୍ତାବା ଖାମେନେଇଙ୍କୁ ସୁପ୍ରିମ ଲିଡର କରାଯିବା ପ୍ରସ୍ତାବକୁ ଖାରଜ କରିସାରିଛନ୍ତି।
ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍) ପକ୍ଷରୁ ଲେବାନନ୍ବାସୀଙ୍କୁ ବେରୁଟ୍ ଖାଲି କରିବାକୁ ଆହ୍ବାନ ଦେବା ସହ ସମ୍ପୃକ୍ତ ଅଞ୍ଚଳରେ ବଡ଼ଧରଣର ଆକ୍ରମଣ କରିଛି। ସେହିପରି ଇରାନ୍କୁ ମଧ୍ୟ ଆହୁରି ୫୦ ଯୁଦ୍ଧବିମାନ ପଠାଇଛି। ଇରାନ୍ ଆକ୍ରମଣର ଜବାବ ଦେବାକୁ ଯାଇ ଆମେରିକା ଓ ଇସ୍ରାଏଲ୍ ତେହରାନ୍ର ସାମର୍ଥ୍ୟ, ନେତୃତ୍ୱ ଓ ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରିଥିବାବେଳେ ଯୁଦ୍ଧର ପରିସୀମା ବଢ଼ିବାରେ ଲାଗିଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଅଁା ହୋଇଛି। ଏହା ବିଶ୍ୱର ବୃହତ୍ ଅର୍ଥନୀତିଗୁଡ଼ିକୁ ଧରାଶାୟୀ କରିଦେବ ବୋଲି କାତାର ଶକ୍ତିମନ୍ତ୍ରୀ ସାଦ୍ ଅଲ୍-କାବି ସତର୍କ କରାଇଛନ୍ତି। ଉପସାଗରୀୟ କ୍ଷେତ୍ରରୁ ଶକ୍ତି ରପ୍ତାନି ବନ୍ଦ ହୋଇଗଲେ ତୈଳ ବ୍ୟାରେଲ ପିଛା ୧୫୦ ଆମେରିକୀୟ ଡଲାରରେ ପହଞ୍ଚତ୍ବ। ଯୁଦ୍ଧ ତତ୍କାଳ ବନ୍ଦ ହେଲେ ମଧ୍ୟ ତୈଳ ଦର ସ୍ବାଭାବିକ ହେବା ପାଇଁ ୨ ସପ୍ତାହ ଲାଗିଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଇରାନ୍ ପକ୍ଷରୁ ଇସ୍ରାଏଲ୍ ସମେତ କୁଏଟ୍, କାତାର, ସାଉଦି ଆରବ ଓ ବାହାରିନ୍ରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକରେ ଡ୍ରୋନ୍ ଏବଂ ମିଶାଇଲ୍ ଆକ୍ରମଣ କରାଯାଇଛି। ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ୍ରେ ୧,୨୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଲେବାନନ୍ରେ ମୃତ୍ୟୁସଂଖ୍ୟା ୧୨୦ରୁ ଅଧିକ ରହିଛି। ଏଥିରେ ୬ ଆମେରିକୀୟ ସୈନ୍ୟ ନିହତ ହୋଇଛନ୍ତି। ଏଭଳି ସ୍ଥିତିରେ ଜାତିସଂଘ ମାନବ ଅଧିକାର ହାଇକମିଶନ୍ ଭୋଲ୍କର ତୁର୍କ ଉତ୍ତେଜନା ହ୍ରାସ ସହ ସଂଯମ ହେବାକୁ ସବୁ ସମ୍ପୃକ୍ତ ଦେଶକୁ ପରାମର୍ଶ ଦେଇଛନ୍ତି। ଏହି ଅଗ୍ନି ତୁରନ୍ତ ନିର୍ବାପନ ହେବା ବିଶ୍ୱ ତତ୍କାଳ ଦେଖିବାକୁ ଚାହେଁ ବୋଲି ସେ କହିଛନ୍ତି। ଇରାନରେ ଏକ ବଡ଼ ଧରଣର ମାନବୀୟ ସଙ୍କଟପୂର୍ଣ୍ଣ ସ୍ଥିତି ଉପୁଜିଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି (ୟୁଏନ୍ଏଚ୍ସିଆର୍) ପକ୍ଷରୁ ଘୋଷଣା କରାଯାଇଛି।