ମସ୍କୋ/ଓ୍ବାଶିଂଟନ୍,୧୩ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉଦ୍ୟମରୁ କୌଣସି ସୁଫଳ ନ ମିଳିବାରୁ ଶାନ୍ତି ଆଲୋଚନା ବନ୍ଦ କରିବାକୁ ଶୁକ୍ରବାର କ୍ରେମ୍ଲିନ ନିଷ୍ପତ୍ତି ନେଇଛି। ଅଚଳାବସ୍ଥା ଦୂରକରିବା ପାଇଁ ସାମ୍ନାସାମ୍ନି ଆଲୋଚନା ଜରୁରୀ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହୁଥିବାବେଳେ ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍ ତାଙ୍କ ସହ କୌଣସି ବୈଠକ କରିବାକୁ ମନା କରିଦେଇଛନ୍ତି। ଫଳରେ ପୁଟିନ୍ଙ୍କୁ ଆଲାସ୍କାକୁ ଡକାଇ ସମାଧାନ ପାଇଁ କୂଟନୈତିକ ପ୍ରୟାସ କରିଥିବା ଟ୍ରମ୍ପ୍ଙ୍କର ଏବେ ଧୈର୍ଯ୍ୟଚ୍ୟୁତି ଘଟିଛି। ପୁଟିନ୍ଙ୍କ ସହ ତାଙ୍କର ଦୀର୍ଘଦିନର ସୁସମ୍ପର୍କ ରହିଛି, କିନ୍ତୁ ରୁଷୀୟ ରାଷ୍ଟ୍ରପତିଙ୍କୁ ନେଇ ଯୁଦ୍ଧ ବନ୍ଦ କରିବା ଉପରେ ନିଜେ ଧୈର୍ଯ୍ୟହରା ହୋଇପଡ଼ିଥିବା ଟ୍ରମ୍ପ୍ ଏକ ସାକ୍ଷାତ୍କାରରେ କହିଛନ୍ତି। ତେବେ ୟୁକ୍ରେନ୍ରେ ୧,୨୯୬ ଦିନ ହେଲା ଲାଗି ରହିଥିବା ଯୁଦ୍ଧକୁ ନେଇ ଟ୍ରମ୍ପ୍ ରୁଷିଆ ଉପରେ କୌଣସି ନୂଆ କଟକଣା ଜାରି କରିନାହାନ୍ତି।
ଫେବୃଆରୀରେ ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସେନା ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଏଥିରେ ଉଭୟ ପକ୍ଷର ବହୁସଂଖ୍ୟକ ସୈନ୍ୟ ନିହତ ହୋଇଥିବାବେଳେ ୟୁକ୍ରେନ୍ର ନିରୀହ ଜନତା ପ୍ରାଣ ହରାଇଛନ୍ତି। ଯୁଦ୍ଧର ପ୍ରଭାବ କେବଳ ୟୁକ୍ରେନ୍ ଓ ରୁଷିଆରେ ସୀମିତ ନ ରହି ବିଶ୍ୱର ଅନେକ ଭାଗରେ ଏହା ଅନୁଭୂତ ହୋଇଛି। ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ବହୁ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ରିପବ୍ଲିକାନ୍ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରାଇବେ ବୋଲି ପୂର୍ବରୁ ପ୍ରଚାରବେଳେ ଘୋଷଣା କରିଥିଲେ। ଏଥିସହ ୟୁକ୍ରେନ୍ରୁ ଆମେରିକାର ସାମରିକ ସହାୟତା ମଧ୍ୟ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୫ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ୍ ଏହି ଦିଗରେ କିଛି ପଦକ୍ଷେପ ମଧ୍ୟ ନେଇଛନ୍ତି। ଏହା ସତ୍ତ୍ୱେ ଯୁଦ୍ଧ ବନ୍ଦ ହୋଇପାରି ନାହିଁ। ଏନେଇ ଟ୍ରମ୍ପ୍ କହିଛନ୍ତି, ଜେଲେନ୍ସ୍କି ଆଲୋଚନା ପାଇ ପ୍ରସ୍ତୁତ। କିନ୍ତୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ବନ୍ଦ କରୁନାହିଁ। ଶାନ୍ତି ଚୁକ୍ତି ଆଲୋଚନା ଚାଲିଥିବାବେଳେ ରୁଷିଆର ଘନ ଘନ ମିଶାଇଲ ମାଡ଼କୁ ନେଇ ଟ୍ରମ୍ପ୍ ନୈରାଶ୍ୟ ପ୍ରକାଶ କରିଛନ୍ତି।
ପୂର୍ବରୁ ତୁର୍କୀ ମଧ୍ୟସ୍ଥତାରେ ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ୩ଟି ପର୍ଯ୍ୟାୟରେ ଶାନ୍ତି ଆଲୋଚନା ହୋଇଥିଲା। ସେଥିରୁ କେବଳ ବନ୍ଦୀ ବିନିମୟକୁ ଛାଡ଼ିଦେଲେ ଅନ୍ୟ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ୟୁକ୍ରେନ୍ ପୂର୍ବ ଡୋନ୍ବାସ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେଉ ବୋଲି ରୁଷିଆ ଦାବି କରୁଥିବାବେଳେ କିଭ୍ ନିଜ ଭୂଖଣ୍ଡକୁ ମସ୍କୋକୁ ଟେକିଦେବ ନାହିଁ ବୋଲି ସ୍ପଷ୍ଟ କରିସାରିଛି। କିଭ୍ ୟୁକ୍ରେନ୍ରେ ୟୁରୋପୀୟ ସୈନ୍ୟ ମୁତୟନ ଚାହୁଁଥିବାବେଳେ ମସ୍କୋ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି।