ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି। ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବରେ ଏକ ବଡ଼ ସର୍ଚ୍ଚ ଅପରେଶନ କରୁଛନ୍ତି। ଏହି ଆକ୍ରମଣ ଅନନ୍ତନାଗ ଜିଲାର ବୈସାରଣ ଘାସଭୂମିରେ ହୋଇଥିଲା। ଏହି ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ମଝିରେ ଛାଡି ଭାରତ ଫେରି ଆସିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଟ୍ରମ୍ପ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେରିକା ଭାରତ ସହିତ ଛିଡ଼ା ହୋଇଛି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ପ୍ରସ୍ତୁତ।
ସେହିପରି ଇଟାଲୀ ପ୍ରଧାନମନ୍ତ୍ରୀ ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି। ମେଲୋନି ମଧ୍ୟ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି।
ଏହି ବର୍ବର ଆକ୍ରମଣରେ ବିଶ୍ୱର ଅନେକ ଦେଶ ଭାରତ ସହିତ ଛିଡା ହୋଇଛନ୍ତି, ଯେଉଁଥିରେ ଅଷ୍ଟ୍ରେଲିଆ, ଆମେରିକା, ୟୁରୋପୀୟ ସଂଘ, ଫ୍ରାନ୍ସ, ଇସ୍ରାଏଲ, ଜର୍ମାନୀ, ଗୟାନା, ରୁଷ, ଇଟାଲି, ନ୍ୟୁଜିଲ୍ୟାଣ୍ଡ, ତୁର୍କୀ, ୟୁକ୍ରେନ, ମାଲଡୋଭା, ପାନାମା, ତୁର୍କୀ, ଏଷ୍ଟୋନିଆ, ଶ୍ରୀଲଙ୍କା, ୟୁଏଇ, ଜାପାନ, ଆର୍ଜେଣ୍ଟିନା, ଚିଲି, ଇରାନ, ଥାଇଲ୍ୟାଣ୍ଡ, ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ସମେତ ଅନେକ ଦେଶ ଭାରତକୁ ସମର୍ଥନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବ ଗସ୍ତ କରିଥିଲେ। ତାଙ୍କ ଯିବା ପରେ, ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗସ୍ତ ଅଧା ବାଟରେ ଛାଡି ଫେରିବାକୁ ପଡିଲା। ଏହି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଯାତ୍ରାର ମାର୍ଗ ପରିବର୍ତ୍ତନ କରାଯାଇଥିଲା। ସେ ଯେଉଁ ବିମାନ ମାର୍ଗ ଦେଇ ଯାଇଥିଲେ, ସେହି ରାସ୍ତାରେ ଫେରି ନଥିଲେ। ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ଫେରିବା ସମୟରେ ପାକିସ୍ତାନର ଆକାଶପଥ ଦେଇ ଆସି ନ ଥିଲେ। କିନ୍ତୁ ଯିବା ସମୟରେ ସେ କେବଳ ପାକିସ୍ତାନ ବାୟୁସୀମା ଦେଇ ଯାଇଥିଲେ।