ଉପନିବେଶବାଦ: ସେତେବେଳେ ଇଂଲଣ୍ଡ ଏବେ ଆମେରିକା, ସୁଯୋଗ ଖୋଜୁଛି ଚାଇନା

ନୂଆଦିଲ୍ଲୀ,୧୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ନିଷ୍ପତ୍ତି ଏବଂ ବୟାନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରମ୍ପ କେବଳ ଆମେରିକାକୁ ଶକ୍ତିଶାଳୀ କରିବାକୁ ଚାହୁଁନାହାନ୍ତି, ବରଂ ଏହାର ଭୌଗୋଳିକ ସୀମା ବଢ଼ାଇବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଗ୍ରୀନଲ୍ୟାଣ୍ଡକୁ ନିଜ ଅକ୍ତିଆରକୁ ନେବା ପାଇଁ ଟ୍ରମ୍ପଙ୍କ ଯୋଜନା ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କ ପାଇଁ ଏକ ନୂଆ ଚିନ୍ତା ସୃଷ୍ଟି କରିଛି।

ନିକଟରେ ଆମେରିକା ସୈନ୍ୟବାହିନୀ ଭେନେଜୁଏଲାରେ ଏକ ବଡ଼ ଅପରେସନ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ଘଟଣା ବିଶ୍ୱ ଶୃଙ୍ଖଳାକୁ ଦୋହଲାଇ ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ଆମେରିକା କଂଗ୍ରେସର ବିନା ଅନୁମତିରେ ଏବଂ ଆନ୍ତର୍ଜାତୀୟ ଆଇନକୁ ଅଣଦେଖା କରି କରାଯାଇଥିବା ଅଭିଯୋଗ ହୋଇଛି। ଚାଇନା ଏହାକୁ ଆମେରିକାର “ଦୋମୁହାଁ ନୀତି” ଏବଂ “ଗୁଣ୍ଡାଗର୍ଦ୍ଦି” ବୋଲି କହି ନିନ୍ଦା କରିଛି।

ଟ୍ରମ୍ପଙ୍କ ଯୁକ୍ତି ଅନୁସାରେ, ଆମେରିକାର ସମ୍ପତ୍ତି ଓ ପ୍ରଭାବକୁ ପୁନରୁଦ୍ଧାର କରିବା ପାଇଁ ସୀମା ବିସ୍ତାର ଜରୁରୀ। ଏଥିପାଇଁ ଆମେରିକା ଏବେ ଗ୍ରୀନଲ୍ୟାଣ୍ଡ ଓ କଲମ୍ବିଆ ଉପରେ ନଜର ପକାଇଛି।

ଗ୍ରୀନଲ୍ୟାଣ୍ଡରେ ଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ରଣନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏହାକୁ ହାସଲ କରିବାକୁ ଚାହୁଁଛନ୍ତି। ସେହିପରି ଭେନେଜୁଏଲା ଓ କଲମ୍ବିଆର ବିଶାଳ ତୈଳ ଭଣ୍ଡାର ଏବଂ ପ୍ରାକୃତିକ ସମ୍ପଦ ଉପରେ ଆମେରିକାର ଆଖି ରହିଛି।

ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଟ୍ରମ୍ପ ୨୦୨୭ ସୁଦ୍ଧା ଆମେରିକାର ପ୍ରତିରକ୍ଷା ବଜେଟକୁ ୧.୫ ଟ୍ରିଲିୟନ ଡଲାର କରିବାକୁ ଘୋଷଣା କରିଛନ୍ତି, ଯାହା ଚଳିତ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ।

ଚାଇନା ପାଇଁ ଖୋଲିଗଲା ନୂଆ ବାଟ?
ବିଶେଷଜ୍ଞଙ୍କ ମତରେ, ଆମେରିକାର ଏହି ‘ଜବରଦଖଲ’ ନୀତି ଚାଇନା ପାଇଁ ଏକ ଉଦାହରଣ ସାଜିପାରେ। ଯଦି ଆମେରିକା ଅନ୍ୟ ଦେଶର ସାର୍ବଭୌମତ୍ୱକୁ ଅଣଦେଖା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ, ତେବେ ଚାଇନା ମଧ୍ୟ ଭବିଷ୍ୟତରେ ତାଇୱାନକୁ ନିଜ ଅକ୍ତିଆରକୁ ନେବା ପାଇଁ ଏହିଭଳି ପନ୍ଥା ଆପଣାଇପାରେ। ଟ୍ରମ୍ପଙ୍କ ଏହି ଅପ୍ରତ୍ୟାଶିତ ନୀତି ବିଶ୍ୱରେ “ଉପନିବେଶବାଦ”କୁ ପ୍ରୋତ୍ସାହନ ଦେଉଥିବା ଚାଇନା ବିଦେଶ ମନ୍ତ୍ରଣାଳୟ ପ୍ରକାଶ କରିଛି। ଅତୀତରେ ଇଂଲଣ୍ଡ ଉପନିବେଶବାଦ ଚଳାଇଥିବା ବେଳେ ଏବେ ଶକ୍ତିଶାଳୀ ଆମେରିକା ଗରିବ ଏବଂ ଅପେକ୍ଷାକୃତ ଦୁର୍ବଳ ଦେଶଗୁଡିକୁ ଟାର୍ଗେଟ କରୁଛି।

Share