ନୂଆଦିଲ୍ଲୀ,୧୭।୩: ଇରାନ୍ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍ ଯୁଦ୍ଧ ବନ୍ଦ କରିବାକୁ ନିଷ୍ପତ୍ତି ନେଇପାରୁନାହାନ୍ତି କି ଇରାନକୁ ମଧ୍ୟ ରୋକିବାକୁ ବୁଦ୍ଧି ପାଉନାହାନ୍ତି। ଯୁଦ୍ଧ ବୁଝାମଣା କରିବାକୁ ଆଦୌ ପ୍ରସ୍ତୁତ ନ ଥିବା ଇରାନ୍ ଉପସାଗରୀୟ ଦେଶଗୁଡିକ ଉପରେ ଆକ୍ରମଣ ଜାରି ରଖିଥିଲାବେଳେ ହର୍ମୁଜ୍ ଷ୍ଟ୍ରେଟ୍କୁ ବନ୍ଦ କରି ପରୋକ୍ଷରେ ଟ୍ରମ୍ପ୍ଙ୍କ ପାଇଁ ଚିନ୍ତା ବଢାଇଛି। ଇରାନ୍ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଜାହାଜ ଚଳାଚଳ ବନ୍ଦ କରିଦେଇଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ଯେଭଳି ବଢିଚାଲିଛି ତାହା କେବଳ ଆମେରିକା ନୁହେଁ, ସବୁ ଦେଶଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଥିପାଇଁ ଟ୍ରମ୍ପ୍ ନାଟୋ ଦେଶଙ୍କ ସହାୟତା ଲୋଡିଛନ୍ତି।
କିନ୍ତୁ ଟ୍ରମ୍ପ୍ଙ୍କ ତାଗିଦ୍ ସତ୍ତ୍ୱେ ବହୁ ନାଟୋ ସଦସ୍ୟ ରାଷ୍ଟ୍ର ମୁହଁମୋଡିବା ଘଟଣା ଟ୍ରମ୍ପ୍ଙ୍କ ଚିନ୍ତା ଆହୁରି ବଢାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପିଛା ମୂଲ୍ୟ ୧୦୫ ଡଲାର ଟପିଛି। ଆଗକୁ ବ୍ୟାରେଲ ପିଛା ମୂଲ୍ୟ ୨୦୦ ଡଲାରରେ ପହଞ୍ଚାଇବାକୁ ଇରାନ୍ ଧମକ ଦେବା ସହିତ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବା ରଣନୀତିକୁ ଆପଣାଇଛି। ଟ୍ରମ୍ପ୍ ହର୍ମୁଜ୍ ଷ୍ଟ୍ରେଟ୍ରେ ତୈଳ ପରିବହନକାରୀ ଜାହାଜଗୁଡିକୁ ସୁରକ୍ଷା ଦେବା ନେଇ ଚାଇନା ସମେତ ନାଟୋ ରାଷ୍ଟ୍ରମାନଙ୍କୁ ଧମକ ଦେଇଛନ୍ତି।
ଏହିସବୁ ରାଷ୍ଟ୍ର ହର୍ମୁଜ୍ ସୁରକ୍ଷା ପାଇଁ ସେମାନଙ୍କ ଯୁଦ୍ଧପୋତ ମୁତୟନ କରନ୍ତୁ ବୋଲି ଟ୍ରମ୍ପ୍ ଧମକ ଦେଇଛନ୍ତି। କିନ୍ତୁ କୌଣସି ରାଷ୍ଟ୍ର ଟ୍ରମ୍ପ୍ଙ୍କ ଧମକକୁ ଖାତିର କରି ନାହାନ୍ତି। ଅଷ୍ଟ୍ରେଲିଆ ଯୁଦ୍ଧଜାହାଜ ପଠାଇବାକୁ ରୋକ୍ଠୋକ୍ ମନା କରି ଦେଇଥିଲାବେଳେ ଜାପାନ ମଧ୍ୟ ସମାନ କଥା କହିଛି। ସେପଟେ କାନାଡା, ଯୁକ୍ତରାଜ୍ୟ, ଫ୍ରାନ୍ସ, ଜର୍ମାନୀ ଆଦି ପ୍ରମୁଖ ନାଟୋ ରାଷ୍ଟ୍ର ଏଥିପାଇଁ ସହଯୋଗ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।