ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ ପରେ ମେ ୧୦ରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ଯୁଦ୍ଧବିରତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ପ୍ରଶାସନ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଭାରତ ସରକାର ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଏହି ଯୁଦ୍ଧବିରତି ଭାରତ ଓ ପାକିସ୍ତାନର ସେନା ମଧ୍ୟରେ ସିଧାସଳଖ ଚର୍ଚ୍ଚା ମାଧ୍ୟମରେ ହିଁ ସମ୍ଭବ ହୋଇଛି।
ତେବେ ଏହାରି ଭିତରେ ଟ୍ରମ୍ପ ନୂଆ ବୟାନ ଦେଇଛନ୍ତି, ଯାହାକୁ ନେଇ ପାକିସ୍ତାନର ଟେନଶନ ଆହୁରି ବଢିଯାଇଛି। କତାରର ଅଲ-ଉଦେଇଦ ବାୟୁସେନା ଘାଟିରେ ଆମେରିକୀୟ ସୈନିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, “ମୁଁ ଏହା କରିଥିଲି ବୋଲି କହିବାକୁ ଚାହୁଁନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ସପ୍ତାହରେ ବୃଦ୍ଧି ପାଉଥିବା ଶତ୍ରୁତାକୁ ଶାନ୍ତ କରିବାରେ ସାହାଯ୍ୟ କରିଥିଲି।” ସେ ଆହୁରି କହିଛନ୍ତି ଯେ, ଏହି ଯୁଦ୍ଧବିରତି ଆମେରିକାର ମଧ୍ୟସ୍ଥତାରେ ଏକ ରାତ୍ରିକାଳୀନ ଚର୍ଚ୍ଚା ପରେ ହାସଲ ହୋଇଥିଲା। ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ମଧ୍ୟ ଏହାର ଶ୍ରେୟ ନେଇଥିଲେ।
ଆମେରିକା ଉଭୟ ଦେଶ ସହିତ ବାଣିଜ୍ୟ ବୃଦ୍ଧି କରିବାର ସମ୍ଭାବନା ଦ୍ୱାରା ଯୁଦ୍ଧବିରତି ସହଜ କରିଥିଲା। ” ଆମେ ସେମାନଙ୍କ ସହିତ ବାଣିଜ୍ୟ ବିଷୟରେ କଥା ହୋଇଥିଲୁ। ‘ଯୁଦ୍ଧ ବଦଳରେ ବାଣିଜ୍ୟ କରିବା’ ନେଇ କହିଥିଲି। ଏଥିରେ ପାକ ବହୁତ ଖୁସି ଥିଲା ଏବଂ ଭାରତ ମଧ୍ୟ। ସେମାନେ ପ୍ରାୟ ଏକ ହଜାର ବର୍ଷ ଧରି ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଲଢ଼ୁଛନ୍ତି। ମୁଁ ଜାଣେ ଯେକୌଣସି ସମାଧାନ କରିପାରିବି। ଏବଂ କରିକି ବି ଦେଖାଇଛି।
ଅନ୍ୟପକ୍ଷରେ, ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏହି ଯୁଦ୍ଧବିରତି ଭାରତ ଓ ପାକିସ୍ତାନର ସେନାର ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ମାନଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ହାସଲ ହୋଇଛି। ଭାରତ କହିଛି ଯେ, କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଏଥିରେ ନଥିଲା। ଏହା ସହିତ, ଟ୍ରମ୍ପଙ୍କ ଦାବି ଯେ ସେ ବାଣିଜ୍ୟ ପ୍ରୋତ୍ସାହନ ଦେଇ ଏହି ଯୁଦ୍ଧବିରତି ହାସଲ କରିଥିଲେ, ତାହାକୁ ମଧ୍ୟ ଭାରତ ଖଣ୍ଡନ କରିଛି।
ଏହି ଯୁଦ୍ଧବିରତି ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ତୀବ୍ର ସଂଘର୍ଷ ଦେଖାଦେଇଥିଲା। ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ଭାରତର “ଅପରେସନ ସିନ୍ଦୁର” ଅଧୀନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏହାର ପ୍ରତିଶୋଧ ସ୍ବରୂପ ପାକିସ୍ତାନ ମଧ୍ୟ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ ଚେଷ୍ଟା କରିଥିଲା। କିନ୍ତୁ ମଇ ୧୦ରେ ଉଭୟ ଦେଶର ଡିଜିଏମଓମାନଙ୍କ ମଧ୍ୟରେ ଚର୍ଚ୍ଚା ପରେ ଏକ ଯୁଦ୍ଧବିରତି ହାସଲ ହୋଇଥିଲା।