ଲାଞ୍ଜିଗଡ଼, ୧୬ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବନାଞ୍ଚଳ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ହରଡ଼ାଗଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଶିଶୁ ମୃତ୍ୟୁ ଘଟଣାରେ ସହାୟତାର ହାତ ବଢ଼ାଇଛି ମା’ ଭୈରବୀ ଟ୍ରକ୍ ୟୁନିୟନ। ସୂଚନାନୁସାରେ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗାଁର କାଣୁ ମାଝୀ କିଛି ବର୍ଷ ପୂର୍ବରୁ ନିକଟସ୍ଥ ହରଡାଗୁଡ଼ା ଗ୍ରାମରେ ନିଜ ସମ୍ପର୍କୀୟଙ୍କ ଜାଗାରେ ଘର କରି ସ୍ତ୍ରୀ ଓ ୩ପୁଅ ସହ ରହୁଥିଲେ। ଗତ ସୋମବାର କାଣୁ ଓ ତାଙ୍କ ସ୍ତ୍ରୀ ଚାଷଜମିକୁ ଯାଉଥିବାବେଳେ ୨ପୁଅ ମଧ୍ୟ କିଛି ସମୟ ପରେ ତାଙ୍କ ପଛେ ପଛେ ଯାଉଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଆସି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସାନଭାଇ ରବି ମାଝୀ (୫)ଙ୍କର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ସାମ୍ବରୁ ମାଝୀ (୮) ଗୁରୁତର ହୋଇଥିଲେ। ପାଟି ଶୁଣି ପରିବାର ଓ ଗାଁ ଲୋକେ ପହଞ୍ଚି ହାତୀକୁ ଘଉଡ଼ାଇ ଦେଇଥିଲେ। ଶିଶୁ ପୁତ୍ରକୁ ହରାଇ ମା’ବାପାଙ୍କ ଆଖିରୁ ଲୁହ ଶୁଖୁନାହିଁ। ଏହି ପରିପ୍ରେକ୍ଷୀରେ ଗୁରୁବାର ମା’ ଭୈରବୀ ଟ୍ରକ୍ ୟୁନିୟନ ସଭାପତି ଚନ୍ଦ୍ର ଶେଖର ବେହେରା, ଉପସଭାପତି ବଟକୃଷ୍ଣ ପୃଷ୍ଟି, ସମ୍ପାଦକ ଆୟୁ ଖାନ୍, ସାମାଜିକ କର୍ମୀ ଶ୍ରୀଧର ପେସନିଆ, ମୀନକେତନ ଷଡ଼ଙ୍ଗୀ ପ୍ରମୁଖ ହରଡ଼ାଗୁଡା ଗାଁରେ ପହଞ୍ଚତ୍ ମୃତ ଶିଶୁଙ୍କ ମା’ବାପାଙ୍କୁ ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।