ଯୁବକଙ୍କ ଉପରେ ମାଡିଯାଇ ୨ ଟି ଘରେ ଚଢିଗଲା ଗ୍ୟାସ ବୋଝେଇ ଟ୍ରକ, ଗାଡି ଧରି ଚମ୍ପଟ ମାରୁଥିବାବେଳେ…

ଧରାକୋଟ,୨୯।୮: ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ଛକରେ ସିରିଜ ଦୁର୍ଘଟଣା। ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ ଦୋକାନ ସହ ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି। ଘଟଣାସ୍ଥଳରେ ଢଉଗାଁ ଗ୍ରାମର ୪୮ ବର୍ଷୀୟ ବସନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭର ଗାଡି ଧରି ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି। ଡ୍ରାଇଭର ନିଜେ ସ୍ବୀକାର କରିଛନ୍ତି ଯେ ସେ ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଅଘଟଣ ହୋଇଛି। ଡ୍ରାଇଭରଙ୍କ ନାମ ହେଲା ସନ୍ତୋଷ କୁମାର ପରିଡ଼ା । ଟ୍ରକଟି ଆସିକା ପଟୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲା । ଅନ୍ୟପଟେ ଏହି ଦୁର୍ଘଟଣାରେ ମୃତକ ବସନ୍ତଙ୍କ ପରିବାର ପୂରା ଭାଙ୍ଗି ପଡିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ କରିବା ସହ ଟ୍ରକକୁ ଅଟକ ରଖିଛି। ଡ୍ରାଇଭରଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି। ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜାତୀୟ ରାଜ ପଥ ୫୯ ଉପରେ ଘଟଣା ଘଟିଥିବା ବେଳେ ସକାଳ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ମୃତକ ବସନ୍ତ ନିଜ ଜମି କାର୍ଯ୍ୟ ସାରି ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ । ଏ ସଂକ୍ରାନ୍ତରେ ଧରାକୋଟ ଥାନାରେ କେସ ନଂ ୨୩୧/୨୫ ପ୍ରକାରେ ମାମଲା ରୁଜୁ କରାଯାଇଛି।