ସ୍କୁଟିକୁ ଧକ୍କା ଦେଲା ଟ୍ରକ : ମହିଳା ମୃତ, ଓଭର ବ୍ରିଜ ନିର୍ମାଣ ଦାବିରେ ରାସ୍ତା ରୋକ

ଛତ୍ରପୁର, ୨୧।୬(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ ପୁକୁଡିବନ୍ଧ ଛକ ନିକଟ ଜାତୀୟ ରଜପଥରେ ଶନିବାର ଏକ ସ୍କୁଟିକୁ ଧକ୍କା ଦେଲା ଟ୍ରକ l ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ଫୁଲଟା ଗ୍ରାମର ପୁଷ୍ପାଞ୍ଜଳି ଶାସମଲ ବୋଲି ସୂଚନା ମିଳିଛି l ପୁଷ୍ପାଞ୍ଜଳି ତାଙ୍କ ସ୍ବାମୀ ସାହେବ ଶାସମାଲଙ୍କ ସହ ଏକ ଓଡି ୦୭ ଏଏସ ୪୬୪୪ନଂ ସ୍କୁଟି ଯୋଗେ ଭାଟକୁମରଡ଼ା ଗ୍ରାମରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଡି ୦୫ କ୍ୟୁ ୬୩୧୨ ନଂ ଟ୍ରକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା, ପୁକୁଡିବନ୍ଧ ଛକରେ ଟ୍ରାଫିକ ବ୍ୟବସ୍ଥା କରିବା ଓ ତୁରନ୍ତ ଓଭର ବ୍ରିଜ ନିର୍ମାଣ କରିବା ଦାବି ନେଇ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଟାୟାର ଜାଳି ରାଜରାସ୍ତା ଅବରୋଧ କରାଯାଇଥିଲା l ୧ ଘଣ୍ଟା ରୁ ଅଧିକ ସମୟ ଉଭୟ ପାର୍ଶ୍ୱରେ ରାସ୍ତାଜାମ ହୋଇ ରହିଥିଲା, ଏହାର ସୂଚନା ପାଇ ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମଜୀତ ସାହୁ, ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡ଼ାଇ, ଚମାଖଣ୍ଡି ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ l ପରେ ଯାତାୟତ ସ୍ବାଭାବିକ ହୋଇଥିଲା l ସୂଚନା ଥାଉ କି, ପକୁଡିବନ୍ଧ ଛକ ନିକଟରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ଏହି ସ୍ଥାନରେ ଏକ ଓଭର ବ୍ରିଜ ନିର୍ମାଣ କରିବା ନିହାତି ଜରୁରୀ ହୋଇପଡିଛି ବୋଲି ଦାବି ହେଉଛି। ଏଣୁ ଓଭର ବ୍ରିଜ ନିର୍ମାଣ ପର୍ଯ୍ୟନ୍ତ ଏଠାରେ ଟ୍ରାଫିକ ବ୍ୟବସ୍ଥା କରିବା ଲାଗି ଦାବି ହେଉଛି l