ଗଣେଶ ଭସାଣି ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍‌: ୮ ମୃତ, ୨୦ ଗୁରୁତର

ହାସନ (କର୍ନାଟକ), ୧୩ା୯: କର୍ନାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍‌ ମାଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ଗଣେଶ ଚତୁର୍ଥୀ ପାଳନର ଶେଷ ଦିନ ଥିବାବେଳେ ରାତି ୮ଟା ୪୫ ମିନିଟ୍‌ ସମୟରେ ମୋସାଲେ ହୋସାହାଲି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ। ଆହତମାନଙ୍କୁ ହାସନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅରକଲାଗୁଡୁରୁ ଆସିଥିତ୍ବା ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଶ୍ରଦ୍ଧାଳୁମାନଙ୍କ ଉପରେ ମାଡ଼ିଯାଇଥିଲା। ମର୍ମନ୍ତୁଦ ଦୁର୍ଘଟଣାରେ ଏତେସଂଖ୍ୟାରେ ଶ୍ରଦ୍ଧାଳୁ ମୃତାହତ ହୋଇଥିବାରୁ କେନ୍ଦ୍ର ଭାରୀଶିଳ୍ପ ଓ ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଶୋକବ୍ୟକ୍ତ କରିଛନ୍ତି। ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।