ଘର ଭିତରକୁ ପଶିଗଲା ଟ୍ରକ; ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଭଞ୍ଜନଗର ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଆହତ

ଭଞ୍ଜନଗର,୧୯।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାର  କଇଁଣ୍ଡି ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ ଜଣଙ୍କ ଘର ଭିତରକୁ ଏକ ଟ୍ରକ ପଶିଯିବା ଫଳରେ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଗାଡିରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ହେଲପର୍‌ ଭୟରେ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ଘର ମାଲିକ ପୂର୍ବତନ ଭଞ୍ଜନଗର ବ୍ଲକ କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କୁ ଆହତ ଅବସ୍ଥାରେ  ଭଞ୍ଜନଗର ଦମକଳବାହିନୀ ଉଦ୍ଧାର  କରିଥିଲେ। ବିଜୟ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ରାଜସ୍ଥାନର ଏକ ଟ୍ରକ ବ୍ରହ୍ମପୁରରୁ ରଦି କାଗଜ ଧରି ରାଜସ୍ଥାନ ଅଭିମୁଖେ ଯାଉଥିଲା। ବାଟରେ କଇଣ୍ଡି ଗ୍ରାମର ଗୋଲେଇରେ ଟ୍ରକଟି ବୁଲାଇବା ପୁର୍ବରୁ ଚାଳକ ଗାଡିରୁ ଭାରସାମ୍ୟ ହରାଇଥିଲେ। ଏଣୁ ଟ୍ରକଟି ବିଜୟଙ୍କ ଘର ଭିତରକୁ ପଶିଯାଇଥିଲା। ଫଳରେ ଘରେ ଏକୁଟିଆ ଶୋଇଥିବା ବିଜୟ ଆହତ ହୋଇଥିଲେ। କିନ୍ତୁ ତାଙ୍କ ଘରଟି ଭାଙ୍ଗି ଯାଇଛି। ଭଞ୍ଜନଗର ଦମକଳ ବାହୀନି ଏବଂ ଥାନା ଅଧିକାରୀ ଜିବନାନନ୍ଦ ଜେନା ଖବର ପାଇ ରାତିରେ ଘଟଣାସ୍ଥଳରେ ପହଞ୍ଚି ମୃତ ଡ୍ରାଇଭରକୁ ଗାଡିରୁ ବାହାର କରିଥିଲେ। ଶନିବାର ରାଜସ୍ଥାନରୁ ଗାଡି ମାଲିକ ଏବଂ ମୃତ ଡ୍ରାଇଭରଙ୍କ ପରିବାର ଲୋକେ ଭଞ୍ଜନଗରରେ ପହଞ୍ଚିବା ପରେମୃତଦେହ ବ୍ୟବଚ୍ଛେଦ ହେବ। ଉକ୍ତ ରାସ୍ତାଟି ଖାଲ ଢିପ ଥିବା ଯୋଗୁ ବର୍ଷକରେ ଏକାଧିକ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହେଉଛି।