ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ):ଗତ ନଭେମ୍ବର ୧୭ ତାରିଖ ରାତିରେ ବଲାଙ୍ଗୀର-ବରଗଡ ୨୬ନଂ. ଜାତୀୟ ରାଜପଥ ପୁଇଁତଳା ଥାନା ଅନ୍ତର୍ଗତ ଜାମସର ପୋଖରୀକୁ ଏକ ମାଲ ପରିବହନ ଟ୍ରକ ପଶି ଯାଇଥିଲା। ପୋଲିସ ଖୋଳତାଡ ପରେ ଏହି ମାମଲା ଭିନ୍ନ ମୋଡ ନେଇଛି। ଟ୍ରକରେ ନିୟୋଜିତ ଡ୍ରାଇଭରଙ୍କୁ ଆଗଲପୁର ପୋଲିସ ଧରିବା ପରେ ଅସଲ ଘଟଣା ସାମନାକୁ ଆସିଛି ା ଆଗଲପୁର ପୋଲିସ ଥାନା ଅନ୍ତର୍ଗତ ବରପଦର ଗ୍ରାମରୁ ଡ୍ରାଇଭରକୁ ଧରି ପୁଇଁତଳା ପୋଲିସକୁ ଗୁରୁବାର ରାତିରେ ହସ୍ତାନ୍ତର କରିଛି। ଘଟଣାକୁ ନେଇ ପୁଇଁତଳା ପୋଲିସ ଅଧିକ ତଦନ୍ତ ଚଳାଇଛି। ଆଗଲପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସହରର ଜଣେ ଗ୍ରୋସୋରି ମାଲିକଙ୍କ ନିକଟରେ କାମ କରୁଥିଲେ ଉକ୍ତ ଡ୍ରାଇଭର। ସମ୍ପୃକ୍ତ ଡ୍ରାଇଭର ଜଣକ ଏକ ଟ୍ରକ ଯୋଗେ ରାୟପୁରରୁ ବିରି, ହରଡ ଆଦି ଡାଲି ,ସରଫ ଏପରି ଭାବେ ୨୪ ଲକ୍ଷ ଟଙ୍କାର ଗ୍ରୋସୋରି ସାମଗ୍ରୀ ଧରି ବଲାଙ୍ଗୀର ଆସୁଥିଲେ। ଆସିଲା ବାଟରେ ଜଗଦଲପୁର, ପଦ୍ମପୁର, ଗାଇସିଲଟ ଏପରି ବିଭିନ୍ନ ସ୍ଥାନରେ ୬ ରୁ ୭ ଲକ୍ଷ ଟଙ୍କାର ସାମଗ୍ରୀ ବାଟରେ ବିକ୍ରି କରି ଦେଇଥିଲେ। ଏହା ପରେ ୨୬ ନଂ. ଜାତୀୟ ରାଜପଥ ଲୋଇସିଂହା ଦେଇ ବଲାଙ୍ଗୀର ସହରକୁ ଆସିବା ବାଟରେ ଜାମସର ପୋଖରୀକୁ ଟ୍ରକକୁ ପଶାଇ ଦେଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଖରୀ ଭିତରୁ ଅନେକ ସାମଗ୍ରୀ ନ ମିଳିବାରୁ ବଲାଙ୍ଗୀର ସହରର ମାଲିକକୁ ସନ୍ଦେହ ହୋଇଥିଲା। ସମ୍ପୃକ୍ତ ମାଲିକ ଜଣକ ପୋଲିସ ତଦନ୍ତ ଦାବି କରିଥିଲେ। ଜିଲା ପୋଲିସ ନିର୍ଦ୍ଦେଶରେ ଆଗଲପୁର ପୋଲିସ ଗୁରୁବାର ବିଳମ୍ବିତ ରାତିରେ ବରପଦର ଗ୍ରାମରୁ ସମ୍ପୃକ୍ତ ଡ୍ରାଇଭରଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଡ୍ରାଇଭର ପରିବହନ ସାମଗ୍ରୀକୁ ବାଟେଘାଟେ ବିକ୍ରି କରିଥିବା କେତେକ ସାମଗ୍ରୀ ଉଦ୍ଧାର କରାଯାଇଥିବା ନେଇ ଆଗଲପୁର ପୋଲିସ ସୂତ୍ରରୁ ପ୍ରକାଶ। ଏପରି କାରବାର ଯୋଗୁ ସମ୍ପୃକ୍ତ ଡ୍ରାଇଭରଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି। ପୋଖରୀରେ ପଶିଯାଇଥିବା ଟ୍ରକ ଦୀର୍ଘଦିନ ଧରି ଉଦ୍ଧାର ନ ହେବା କାରଣରୁ ପୋଖରୀ ପାଣି ପ୍ରଦୂଷିତ ହୋଇ ପଡିଛି ା ପୋଖରୀ ପାଣି ସ୍ଥାନୀୟ ଲୋକ ଓ ରାଜପଥ ଯାତ୍ରୀଙ୍କ ପାଇଁ ବ୍ୟବହାର ଅନୁପଯୋଗୀ ହୋଇପଡିଛି ା