ବେଆଇନ କାଠ ବୋଝେଇ ଟ୍ରକ ଜବତ: ଦୁଇଜଣ ଅଟକ

କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ବନ ବିଭାଗ ପକ୍ଷରୁ ଘଟଗାଁ ଏବଂ ଭୂୟା ଜୁଆଙ୍ଗ ପିଢ଼ ରେଞ୍ଜର ମିଳିତ ଅଭିଯାନରେ ଜଙ୍ଗଲ ଜମିରୁ ବେଆଇନ କାଟି ବାହାରକୁ ଚାଲାଣ ହେଉଥିବା ଏକ ୟୁକାଲିପଟାସ୍‌ (୧୦୦୦ ଘନଫୁଟରୁ ଅଧିକ) ବୋଝେଇ ଏକ ୧୪ ଚକିଆ ଟ୍ରକ (CG15DH9700) ଜବତ କରିଛି।
ଛତିଶଗଡ଼ ରାଜ୍ୟ ସୁରଜପୁରର ଈଶ୍ୱର ସିଂହ (୨୬), ଟ୍ରକ ଡ୍ରାଇଭର ଏବଂ କେନ୍ଦୁଝର ଜିଲ୍ଲାର ପାଟନା ଥାନା ଅନ୍ତର୍ଗତ ସିଲିପଦାର ଗଣେଶ୍ୱର ପାତ୍ର (୩୦) ନାମକ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ଦଆଯାଇଛି।
ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ପଣ୍ଡାପଡ଼ାର ମିଥ୍ୟା କାଗଜପତ୍ର ଦେଖାଇ ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରୁ ଏକ କାଠ କାଠ ଲୋଡ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଗାଡ଼ିଟି ମଧ୍ୟପ୍ରଦେଶ ରାଜ୍ୟ ଶାହଡୋଲକୁ ଯିବା ପାଇଁ ପ୍ରସ୍ତୁତି ହେଉଥିଲା ଏବଂ ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି କେନ୍ଦୁଝରର ଡିଭିଜନାଲ ଫରେଷ୍ଟ ଅଫିସର ଧନରାଜ ଏଚଡି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସାନ୍ତରାପୁର ଅଞ୍ଚଳରୁ ଦୀର୍ଘ ବର୍ଷ ଧରି କାଠ ଚୋରାଚାଲାଣର ଅନେକ ମାମଲା ସତ୍ତ୍ୱେ ବନ ବିଭାଗ ରୋକିବାରେ ବିଫଳ ହେଉଛି। ଯାହା ପାଇଁ ଜଙ୍ଗଲର କ୍ଷୟ ଦ୍ରୁତ ଗତିରେ ଚାଲିଛି। ଏହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରୁଛନ୍ତି। ତେଣୁ କାଠ ଚୋରାଚାଲାଣ ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ଲୋକଙ୍କ ବିରୋଧରେ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେମାନେ କହିଛନ୍ତି।

 

Dharitri – Odisha’s No.1 Odia Daily