କଲଭର୍ଟରେ ଦବିଲା ପାଇପ ବୋଝେଇ ଟ୍ରକ: ନିମ୍ନମାନର ରାସ୍ତା କାମକୁ ଦାୟୀ କଲେ ଚାଳକ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି -ବୁଡ଼ାଗୁଡା ରାସ୍ତାରେ ଅଘଟଣ ଦେଖିବାକୁ ମିଳିଛି। ଗତକାଲି ଗୁମା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଡାଇଭର୍ଶନ ରାସ୍ତା ଧୋଇଯିବାର କିଛି ଘଣ୍ଟା ବିତିଯାଇଥିବାବେଳେ ସେହି ରାସ୍ତାର ୫୯ନଂ ଜାତୀୟ ରାଜପଥଠାରୁ ବୁଡ଼ାଗୁଡା ଯିବା ପୂର୍ତ୍ତ ବିଭାଗର ଉକ୍ତ ରାସ୍ତାର ଅଲାରୀ ନିକଟରେ ଏକ ପାଇପ ବୋଝେଇ ଟ୍ରକ ଏକ କଲଭର୍ଟରେ ଦବି ଯାଇ ଫସି ରହିଛି। ଗୋରୁ ପଲକୁ ସାଇଡ ଦେଇ ଯିବା ସମୟରେ ଏହି ଘଟଣା ଘଟିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ଟ୍ରକଟି ଫସି ରହିଛି। ତେବେ ବଡ଼ ଅଘଟଣରୁ ବର୍ତ୍ତି ଗଲି ବୋଲି ଚାଳକ ଜୟରାମ ସାହୁ କହିଛନ୍ତି।
ସେ ଅଭିଯୋଗ କରିଛନ୍ତି, କୋଟି କୋଟି ଟଙ୍କା ବିନିମୟରେ ରାସ୍ତା ସମ୍ପ୍ରସାରଣ କରାଯାଉଛି କିନ୍ତୁ ନିମ୍ନମାନର କାର୍ଯ୍ୟ କରାଯାଇଛି। କଲବେର୍ଟର ସାଇଡରେ ମେଟାଲ ବଦଳରେ ଖାଲି ମାଟି ପଡିଥିବାରୁ ଟ୍ରକ ଦବି ଯାଇଛି। ସେ ଅଭିଯୋଗ କରିଛନ୍ତି, ତାଙ୍କ ଟ୍ରକଟି ଦବି ଯାଇଥିଲେ ମଧ୍ୟ ଠିକା ସଂସ୍ଥାର କୌଣସି ସହଯୋଗ ମିଳିଲାନି। ସେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫସିଥିବା ସ୍ଥାନରୁ ଟ୍ରକକୁ ବାହାର କରିବାକୁ ଉଦ୍ୟମ କରୁଥିବା କହିଛନ୍ତି।