ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ ଚର୍ମ ରୋଗ ସହିତ ନା ନା ରୋଗ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସାପ୍ତାହିକ ବଜାର ନିକଟରେ ରହିଛି ତ୍ରିଶୂଳ ପୋଖରୀ। ଏହି ପୋଖରୀକୁ ବର୍ଷାଦିନରେ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ ା କିଛି ବର୍ଷ ପୂର୍ବରୁ ଜଳ ନିଷ୍କାସନ ପାଇଁ ସର୍ପ୍ଲସ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ା ହେଲେ ତାହା କୌଣସି କାରଣରୁ ବନ୍ଦ କରି ଦିଆଯାଇଥିଲା। ଏଣୁ ନିଷ୍କାସନ ପଥ ନ ଥିବାରୁ ପୋଖରୀରେ ପାଣି ଜମି ରହି ପ୍ରଦୂଷିତ ହୋଇ ପଡିଛି। ପୋଖରୀ ପାଣିରେ ନୀଳ ଆସ୍ତରଣ ଜମି ଯାଇଛି ା ପାଣି ଅବସ୍ଥା ଏପରି ହୋଇଥିଲେ ସୁଦ୍ଧା ଲୋଇସିଂହା ନୂଆପଡା, ବସ୍ତି ଏବଂ ବସଷ୍ଟାଣ୍ଡ ଅଞ୍ଚଳର ଲୋକେ ନିୟମିତ ଭାବେ ବ୍ୟବହାର କରି ଆସୁଛନ୍ତି ା ପୋଖରୀକୁ ସ୍ନାନ ପାଇଁ ଯାଉଥିବା ଲୋକେ କିଛି ସମୟ ଧରି ପାଣି ସଫା କଲା ପରେ ସ୍ନାନ କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରୁଥିବା ଲୋକଙ୍କ ଦେହ କୁଣ୍ଡାଇ ହେଉଥିବା ଅଭିଯୋଗ ହେଉଛି। ଖୁବଶୀୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଚର୍ମରୋଗ ଏବଂ ଜଳବାହିତ ରୋଗ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ଲୋଇସିଂହାର ସଚେତନ ଯୁବକ ଦେବାଶିଷ ବିଶୋଇ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ା