ନୂଆଦିଲ୍ଲୀ,୧୪ା୭: ଦିଲ୍ଲୀ ୟୁନିଭର୍ସିଟିରେ ପଢ଼ୁଥିବା ତ୍ରିପୁରାର ସ୍ନେହା ଦେବନାଥ(୧୯) ସପ୍ତାହେ ହେଲା ନିଖୋଜ ଅଛନ୍ତି। ଦିଲ୍ଲୀ ପୋଲିସ ଏବଂ ଏନ୍ଡିଆର୍ଏଫ୍ ଟିମ୍ ଜୋର୍ଦାର ତଲାସି ଅଭିଯାନ ଚଳାଇଥିଲେ ମଧ୍ୟ ଖୋଜଖବର ମିଳୁ ନ ଥିବାରୁ ତାଙ୍କ ନିଖୋଜ ରହସ୍ୟ ଘେରରେ ରହିଛି। ତେବେ ବିଫଳତା ଓ ଚାପ କାରଣରୁ ସ୍ନେହା ସିଗ୍ନେଚର ବ୍ରିଜ୍ରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବୋଲି ତାଙ୍କ ପ୍ରକୋଷ୍ଠରୁ ମିଳିଥିବା ଏକ ହାତଲେଖା ଚିଠିରୁ ଜଣାପଡ଼ିଛି। ଘଟଣା ପଛରେ ହିଂସା ଅପରାଧ ଜଡ଼ିତ ଥାଇପାରେ ବୋଲି ସ୍ନେହାଙ୍କ ପରିବାର ଅଭିଯୋଗ କରିବା ସହ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଆତ୍ମାରାମ ସନାତନ ଧର୍ମ କଲେଜରେ ପଢ଼ୁଥିଲେ। ଗତ ୭ ତାରିଖରେ ସେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ।