ତ୍ରିପାକ୍ଷିକ ଆଲୋଚନା ନିଷ୍ଫଳ

କିଭ୍‌,୨୫ା୧(ରଏଟର୍ସ): ୨୦୨୨ ଫେବୃଆରୀରୁ ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମାସକ ପରେ ପଞ୍ଚମ ବର୍ଷରେ ପହଞ୍ଚତ୍ବାକୁ ଥିବାବେଳେ ସଂଘର୍ଷର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ଓ ଶନିବାର ରୁଷୀୟ ଏବଂ ୟୁକ୍ରେନୀୟ କୂଟନୀତିଜ୍ଞମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କିନ୍ତୁ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷୀୟ ସୈନ୍ୟ ପୁଣି ଆକ୍ରମଣ କରିଛନ୍ତି। ଏହି ଏୟାର ଷ୍ଟ୍ରାଇକ୍‌ରେ ଅନୂ୍ୟନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଦ୍ୱିତୀୟ ବଡ଼ ସହର ଖାର୍‌କିଭ୍‌ରେ ମଧ୍ୟ ଡ୍ରୋନ୍‌ ଆକ୍ରମଣରେ ୨୭ ଜଣ ଆହତ ହୋଇଥିବା ସେଠାକାର ରିଜିଓନାଲ ହେଡ୍‌ ଓଲେହ ସିନିଏହୁବୋଭ୍‌ ସୂଚନା ଦେଇଛନ୍ତି। ରୁଷିଆ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣର ପ୍ରତ୍ୟକ୍ଷ ପ୍ରଭାବ ଆବୁଧାବିରେ ଚାଲିଥିବା ତ୍ରିପାକ୍ଷିକ ଆଲୋଚନା ଉପରେ ପଡ଼ିଛି। ଆମେରିକା, ରୁଷିଆ କିମ୍ବା ୟୁକ୍ରେନ୍‌ ପକ୍ଷରୁ କୌଣସି ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇନାହିଁ। ତେବେ ଉଭୟ ମସ୍କୋ ଓ କିଭ୍‌ ପରବର୍ତ୍ତୀ ଆଲୋଚନା ପାଇଁ ଆଗ୍ରହୀ ଥିବା କହିଛନ୍ତି।
ଆମେରିକା ମଧ୍ୟସ୍ଥତାରେ ଶନିବାର ଅନୁଷ୍ଠିତ ବୈଠକରୁ କୌଣସି ସୁଫଳ ମିଳିନାହିଁ। ୟୁକ୍ରେନୀୟମାନେ ଶୀତରେ ଥରୁଥିବାବେଳେ ରୁଷିଆର ରାତିଅଧିଆ ଆକ୍ରମଣକୁ ଏହାର କାରଣ ବୋଲି ମନେକରାଯାଉଛି। ରୁଷିଆ ପକ୍ଷରୁ ଶୁକ୍ରବାର ରାତିରେ ଘନଘନ ଏୟାର ଷ୍ଟ୍ରାଇକ୍‌ ଓ ଡ୍ରୋନ୍‌ ମାଡ଼ କରାଯାଇଥିଲା। ଏଥିଯୋଗୁ କିଭ୍‌ ସମେତ କେତେକ ଅଞ୍ଚଳର ଶକ୍ତି ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ବୈଠକ ଶେଷରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି Xରେ କହିଛନ୍ତି, ଆଲୋଚନାର ମୁଖ୍ୟ ବିନ୍ଦୁ ଯୁଦ୍ଧ ବନ୍ଦ ପାଇଁ ସମ୍ଭାବ୍ୟ ମାପଦଣ୍ଡ ସ୍ଥିର କରିବା ଥିଲା। ଆସନ୍ତା ସପ୍ତାହରେ ପରବର୍ତ୍ତୀ ବୈଠକ ହୋଇପାରେ। ୟୁଏଇ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି, ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ସାମ୍ନାସାମ୍ନି ଆଲୋଚନା ହୋଇଥିଲା, ଯାହାକି ଗତ ୪ ବର୍ଷରେ ବିରଳ। ତେବେ ଓ୍ବାଶିଂଟନ୍‌ର ଶାନ୍ତି ପ୍ରସ୍ତାବ ଉପରେ ସକାରାମତ୍କ ପରିଣାମ ଆସିପାରେ। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କୌଣସି ନିଷ୍କର୍ଷ ବାହାରି ନ ପାରିବା ପଛରେ ପୁଟିନ୍‌ଙ୍କ ‘ବର୍ବରତା’କୁ ଦାୟୀ କରିଛନ୍ତି। ଶାନ୍ତି ଆଲୋଚନା ଚାଲିଥିବାବେଳେ ପୁଟିନ୍‌ଙ୍କ ମିଶାଇଲ୍‌ ଆମ ଲୋକଙ୍କୁ ମାରୁଛି ବୋଲି ସେ ସମାଲୋଚନା କରିଛନ୍ତି।

 

Dharitri – The Largest & Most Trusted Odia Daily

Share