ଦୁର୍ଗମ ଅଞ୍ଚଳରେ ଅବହେଳିତ ଆଦିବାସୀ: ବର୍ଷା ଦିନରେ ବାଧକ ସାଜୁଛି ଡୁଡୁଙ୍ଗପଟା ନାଳ

ଥୁଆମୂଳ ରାମପୁର,୨୩ା୬ (ଦୁର୍ଗା କୀର୍ତ୍ତି):ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୋବାଇଲ ନେଟ୍‌ୱାର୍କ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ରହୁଛନ୍ତି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଗମନାଗମନ ବ୍ୟବସ୍ଥା ନ ଥିବା ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ମୁଖ୍ୟ ରାସ୍ତାର ଡୁଡୁଙ୍ଗପଟା ନାଳ ପଞ୍ଚାୟତବାସୀଙ୍କ ପାଇଁ ବାଧକ ସାଜିଛି। ବର୍ଷା ଦିନରେ ନାଳରେ ଭରପୂର ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଏପରି କି ପାଣି ଭିତରେ ପଶି ଲୋକେ ଚାଲି ଯିବାକୁ ମଧ୍ୟ ଭୟ କରୁଛନ୍ତି। ନିର୍ମାଣାଧୀନ ରାସ୍ତାର ରୁପେନ ନିକଟ ଡୁଡୁଙ୍ଗପଟା ନାଳ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଏହି ପଞ୍ଚାୟତର ରୂପେନ ଦାଣ୍ଡପଦର, ସିଲେଟ, ସରମାଣ୍ଡି, ବୋର୍ଡିଝୋଲା, ଝାଞ୍ଜି, ଦୁର୍ବେଲଗୁଡ଼ା, କାନ୍ଦୁଲଗୁଡ଼ା, ବିଲାମାଳ, କୁଟଖାଲ, ପାଜିଖାଲ, ମାଳତୀପଦର ଆଦି ଗାଁର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତାରେ ପୋଲ ନ ଥିବା ଯୋଗୁ ଗାଁକୁ ଅମ୍ବୁଲାନ୍ସ ସେବା ଅପହଞ୍ଚ ହୋଇପଡ଼ିଛି। ଅନ୍ୟାନ୍ୟ ଜରୁରିକାଳୀନ ସେବାରୁ ମଧ୍ୟ ଗ୍ରାମବାସୀ ବଞ୍ଚତ୍ତ ହେଉଛନ୍ତି। ଗମନାଗମନ ସୁବିଧା ନ ଥିବା ଯୋଗୁ ଭୁଶୁଡ଼ିପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା। ପ୍ରଶାସନ ତୁରନ୍ତ ଏହି ନାଳ ଉପରେ ପୋଲ ନିର୍ମାଣ କରିବାକୁ ସିଲେଟ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ତନିର ଅଲମଙ୍କୁ ପଚାରିବାରୁ ଉକ୍ତ ନାଳରେ ପୋଲ ନିର୍ମାଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି ଏବଂ ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।