ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଆସନ୍ତା ମାର୍ଚ୍ଚ ୮ରେ ମହିଳା ପାଳନ କରିବେ ବିଶ୍ୱ ମହିଳା ଦିବସ। ଏଥିପାଇଁ ଏବେଠାରୁ ଗାଁଠାରୁ ଦାରିଙ୍ଗବାଡ଼ି ସହର ପର୍ଯ୍ୟନ୍ତ ଚଳଚଞ୍ଚଳ। ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ଲକସ୍ତରୀୟ ଏହି ଦିବସ ପାଳନ କରାଯାଉଛି। ଏଥିପାଇଁ ମହିଳାଙ୍କ ବିକାଶ ଓ ବିଭିନ୍ନ କ୍ଷେତ୍ରରେ ନିଜର ଲୁକ୍କାୟିତ ପ୍ରତିଭାକୁ ଉକ୍ତ ଦିବସରେ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଜନଜାତିଙ୍କ ପରମ୍ପରା ନୃତ୍ୟ, ସଙ୍ଗୀତ, ବକ୍ତୃତା, ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମହିଳାମାନେ ଏହି ସବୁକୁ ଅଭ୍ୟାସ କରୁଛନ୍ତି। ସେମାନେ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଟେଲିଭିଜନରୁ ନୃତ୍ୟ ଦେଖି ତାର ତାଳେ ତାଳେ ନୃତ୍ୟ ଶିଖୁଛନ୍ତି। ସେମାନେ ଏହା ଶିଖିବାକୁ ଭାରି ଇଚ୍ଛାଶକ୍ତି ରହିଥିଲେ ମଧ୍ୟ ସେମାନଙ୍କ ନିକଟରେ ଆବଶ୍ୟକ ସାଉଣ୍ଡ ବକ୍ସ ଓ ଅନ୍ୟାନ୍ୟ ଶବ୍ଦ ବ୍ୟବହାର ପାଇଁ ଯାନ୍ତ୍ରିକ ବ୍ୟବସ୍ଥା ଓ ସ୍ବତନ୍ତ୍ର ଗୃହ ନ ଥିବାରୁ ଏହା ଅଭ୍ୟାସ କରିବାକୁ ହଇରାଣ ଭୋଗୁଥିବା ସଦସ୍ୟାମାନେ କହିଛନ୍ତି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ବ୍ୟବସ୍ଥାରେ ନୃତ୍ୟ ଶିକ୍ଷା କରୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ମହିଳା ସଦସ୍ୟା ତଥା ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର, କୃଷି ମିତ୍ରଙ୍କ ସମେତ ଏମ୍ବିକେ, ସିଆର୍ପି ଦାୟିତ୍ୱରେ ରହିଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ପାରମ୍ପରିକ ନୃତ୍ୟ ସଙ୍ଗୀତ ଅଭ୍ୟାସ କରୁଥିବା ସଦସ୍ୟାଙ୍କ ମଧ୍ୟରେ ସଭାନେତ୍ରୀ ହାନା ଦିଗାଲଙ୍କ ସମେତ ସମ୍ପାଦିକା ଶାନ୍ତିନୀ ପ୍ରଧାନ, ଦୟାବନ୍ତୀ ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ରେଣୁକା ପ୍ରଧାନ, ରୀନା ଦିଗାଲ, ରମିତା ପ୍ରଧାନ, ରିନିମା ପ୍ରଧାନ, ମିତାଞ୍ଜଳି ନାୟକ, ସୁଜାତା ଦିଗାଲ,ବିଷ୍ଣୁପ୍ରିୟା ସାମନ୍ତଙ୍କ ସମେତ ଅନ୍ୟମାନେ ଏହି ନୃତ୍ୟ ଅଭ୍ୟାସ ଜାରି ରଖିଛନ୍ତି।